ବର୍ଷକ ଭିତରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା : ମୁଖ୍ୟମନ୍ତ୍ରୀ

ବରଗଡ : (ସଂକେତ ଟିଭି) ଗୋଟିଏ ବର୍ଷ ଭିତରେ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଦ୍ମପୁର ଗସ୍ତ ସମୟରେ ଘୋଷଣା କରିଛନ୍ତି । ଏହା ସହିତ ସେ ପଦ୍ମପୁରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

ପଦ୍ମପୁର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ପଦ୍ମପୁର ଗସ୍ତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ଆୟୋଜିତ ତିନୋଟି ଜନସଭାରେ ଯୋଗଦେଇ ଉଦବୋଧନ ଦେଇଥିଲେ। ଏହି ସଭାରେ ପଦ୍ମପୁରବାସୀଙ୍କୁ ଉଦବୋଧନ ଦେଇ ନବୀନ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ଆସନ୍ତା ଏକ ବର୍ଷ ଭିତରେ ପଦ୍ମପୁରକୁ ଜିଲ୍ଲା ମିଳିବ ବୋଲି ସେ କହିଛନ୍ତି । ସେହିପରି ମିଶନ ଶକ୍ତି ମାଆମାନେ ଭଲ କାମ କରୁଥିବା କହିବା ସହିତ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଉପଖଣ୍ଡରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି । ସେହିପରି ଝାରବନ୍ଧ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ପାଇଁ ଏକ କୋଟି ଲେଖାଏଁ ଅନୁଦାନ ଘୋଷଣା କରିଛନ୍ତି । ସେହିପରି ୧୩୩/୩୨ କେବିର ଏକ ଗ୍ରିଡ୍ ନିର୍ମାଣ ସାଙ୍ଗକୁ ଚାକଧରା ଡ୍ୟାମ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ସେହିପରି ପାଇକମାଳ ବ୍ଲକରେ ୨୦ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପାଇକମାଳ ପିଏଚସିକୁ ସିଏଚସି ଭାବେ ଘୋଷଣା କରିଛନ୍ତି ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭଟଲି ବିଧ‌ାୟକ ସୁଶାନ୍ତ ସିଂହ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ପ୍ରମୁଖ ଯୋଗ ଦେଇଥିଲେ।