ଭୂକମ୍ପ ଜୋନ୍‌ରେ ରହିଛି ଭୁବନେଶ୍ୱର, ତିଆରି ହେଉଛି ବିପଦଜନକ ନଭଶ୍ଚୁମ୍ବୀ ଅଟ୍ଟାଳିକା

ଭୁବନେଶ୍ୱର : (ସଂକେତ ଟିଭି ) କିଛିଦିନ ତଳେ ତୁର୍କୀ ଓ ସିରିୟାରେ ଭୟାବହ ଭୂକମ୍ପରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଥିବା ବେଳେ ଏବେବି ଆହୁରି ବହୁ ଲୋକ ମାଟିତଳେ ଚାପି ରହିଛନ୍ତି । ନଭଶ୍ଚୁମ୍ବୀ ଅଟ୍ଟାଳିକା ଗୁଡ଼ିକ ତାସ୍‌ର ଘର ପରି ମାତ୍ର କେଇ ସେକେଣ୍ଡରେ ଭୁଶୁଡ଼ି ପଡ଼ିଲା । ଭୂକମ୍ପ ପରର ଦୃଶ୍ୟ ଥିଲା ଅତ୍ୟନ୍ତ ଛାତିଥରା । ତେବେ ଭୂକମ୍ପ ଜୋନ୍‌ରେ ଭୁବନେଶ୍ୱର କଥାଟା ଶୁଣିଲେ ଭୁବନେଶ୍ୱରରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଭୟ ଜାଗ୍ରତ ହେବା ସ୍ୱାଭାବିକ । ତେବେ ଏହା କ’ଣ ସତ ଯେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଭୂକମ୍ପ ଜୋନ୍‌ରେ ଆସୁଛି ।

କିଛି ନିର୍ଦ୍ଦିଷ୍ଟ ଜାତୀୟ ସ୍ତରର ଗଣମାଧ୍ୟମର ଖବର ଅନୁଯାୟୀ ଭାରତର ଭୂକମ୍ପ ଜୋନ୍‌ରେ ଯେତୋଟି ସହର ରହିଛି ତା’ ମଧ୍ୟରୁ ଭୁବନେଶ୍ୱର ଅନ୍ୟତମ ବୋଲି କିଛିଦିନ ତଳେ ଖବର ପ୍ରସାରଣ ହୋଇଥିଲା । ଆଉ ଭୂକମ୍ପ ହେଲେ ଭୁବନେଶ୍ୱରର ଅସ୍ତିତ୍ୱ କ’ଣ ହେବ ତାହା ଭାବିବା ବେଳକୁ ଲୋମ ଟାଙ୍କୁରି ଉଠୁଛି । ଯଦି ଏହାର କେତୋଟି କାରଣକୁ ଆମେ ପର୍ଯ୍ୟାଲୋଚନା କରିବା ତେବେ ଗୋଟିଏ କଥା ମନକୁ ଆସୁଛି ରାଜଧାନୀରେ ବିରାଟକାୟ ଅଟ୍ଟାଳିକା ।

ମହାବାତ୍ୟା ପରେ ରାଜଧାନୀ ଭୁବନେଶ୍ୱରରେ ଲୋକସଂଖ୍ୟା ପୂର୍ବାପେକ୍ଷା ବହୁଗୁଣରେ ବଢ଼ିଛନ୍ତି । ପ୍ରବଳ ଜନସଂଖ୍ୟାକୁ ଲକ୍ଷ୍ୟ କରି ରାଜଧାନୀର ଜମି ମାଲିକ, ଦଲାଲ, କଣ୍ଟ୍ରାକ୍ଟର, ବିଲ୍ଡର ସତେଯେପରି ରାଜ୍‌ କରିବା ଆରମ୍ଭ କରିଦେଇଛନ୍ତି । ଆଉ ଏମାନଙ୍କ ସହ ବାହାର ରାଜ୍ୟର କିଛି ସମ୍ଭ୍ରାନ୍ତବାଦୀ ଲୋକ ମଧ୍ୟ ଏକର ଏକର ଜମି ନିଜ କବ୍‌ଜାରେ ରଖିଛନ୍ତି । ସବୁଠୁ ବଡ଼ କଥା ହେଉଛି ଅର୍ଥ ଲୋଭରେ ଏମାନେ ମହଲା ପରେ ମହଲା ବନାଇ ଚାଲିଛନ୍ତି । ଭୁବନେଶ୍ୱରରେ ବାସ କରୁଥିବା ଲୋକ ମଧ୍ୟ ନାଚାର । ବାଧ୍ୟବାଧକତାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏମାନଙ୍କ ଦ୍ୱାରା ନିର୍ଯାତିତ । ଫଳସ୍ୱରୁପ ରାଜଧାନୀରେ ଯେଉଁଠି ଦେଖିବ ସେଠାରେ ନଭଶ୍ଚୁମ୍ବୀ ଅଟ୍ଟାଳିକା ଦିନକୁ ଦିନ ଠିଆ ହୋଇଚାଲିଛି ।

ସବୁଠୁ ଦୁଃଖ ଓ ପରିତାପର ବିଷୟ ଯେ ଆଜି ରାଜଧାନୀ ଶ୍ରୀହୀନ ଦେଖାଯାଉଛି । ରାଜଧାନୀରେ ବୃକ୍ଷକୁ କାଟି ପଦା କରିଦିଆଯାଉଛି । ସାଧାରଣ ଲୋକଟି ଗ୍ରୀଷ୍ମରେ ଛାଇ ଟିକେ ପାଇବାକୁ ନାକେଦମ୍ ହେଉଛି । ଏଇ କିଛିଦିନ ତଳେ ଫେବୃଆରୀରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ବିଶ୍ୱର ସବୁ ସହର ଠାରୁ ଅଧିକ ଥିବା ପାଣିପାଗ ବିଭାଗ ଦର୍ଶାଇଥିଲା । ତାପମାତ୍ରା ବୃଦ୍ଧି ସାଙ୍ଗକୁ ମାଟିର ଚାପ ବଢ଼ିବା ଓ ସ୍ତର ଦୁର୍ବଳ ହେଲେ ଭୂସ୍ତରରେ କମ୍ପନ ସୃଷ୍ଟି ହେବା ସ୍ୱାଭାବିକ । ଏଥିରୁ ଅନୁମାନ କରନ୍ତୁ ଆଗାମୀ ଦିନରେ ଭୁବନେଶ୍ୱରର ଅବସ୍ଥା କ’ଣ ହେବ ।

ଯଦି ଏଇଭଳି ଧାରା ଜାରି ରୁହେ ତେବେ ଆଗକୁ ଅର୍ଥବଳରେ ଲୋକେ କୋଠା ଉପରେ କୋଠା ତ ତିଆରି କରିଦେବେ କିନ୍ତୁ ପ୍ରକୃତି ଯଦି କରାଳ ରୂପ ଦେଖାଇବା ଆରମ୍ଭ କରିଦିଏ ତେବେ ଅର୍ଥବଳ କାମ କରିବ ନାହିଁ । ନିମିଷକ ମଧ୍ୟରେ କୋଠାଗୁଡ଼ିକ କ୍ଷଣିକରେ ମାଟିରେ ମିଶିଯିବ । ଏଥିପାଇଁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍‌ ଏବେଠୁ ଅଧିକ ଯତ୍ନବାନ ହେବା ଉଚିତ୍ । ସର୍ଭେ କରି ଯେଉଁ କୋଠାଗୁଡ଼ିକର ଭିତ୍ତିଭୂମି ଦୁର୍ବଳ ରହିଛି ତାହାକୁ ଭାଙ୍ଗିବା ପାଇଁ ପଦକ୍ଷେପ ନେବା ଉଚିତ୍ । ଶ୍ରୀହୀନ ରାଜଧାନୀକୁ କିପରି ପୁନଃ ବୃକ୍ଷରାଜିରେ ପରିପୂର୍ଣ୍ଣ କରାଯାଇପାରିବ ସେଥିପାଇଁ ସରକାର ଓ ବିଭିନ୍ନ ସଂଗଠନମାନେ ଆଗେଇ ଆସିବା ଉଚିତ୍ । ସେହିପରି ରାଜଧାନୀରେ କେତେ ମହଲା ପର୍ଯ୍ୟନ୍ତ କୋଠା ନିର୍ମାଣ କରାଯିବା ଜରୁରୀ ତାହା ଉପରେ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ପ୍ରଣୟନ କରାଯିବା ଉଚିତ୍ ।