ଘରେ ପଶି ପତ୍ନୀଙ୍କୁ ଏସିଡ୍‌ ମାଡ଼ କଲା ସ୍ୱାମୀ, ଦେଢ଼ଶାଳୀଙ୍କ ସହ ୪ ଗୁରୁତର

ବାଲେଶ୍ୱର : (ସଂକେତ ଟିଭି) ପାରିବାରିକ ବିବାଦକୁ କେନ୍ଦ୍ର କରି ଘରେ ପଶି ପତ୍ନୀଙ୍କୁ ଏସିଡ୍‌ ମାଡ଼ କଲା ସ୍ୱାମୀ । ଏହି ଏସିଡ୍ ମାଡରେ ପତ୍ନୀ, ଦେଢ଼ଶାଳୀ, ଏବଂ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁରାରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ନୀଳଗିରି ସନ୍ତରା ଗାଡିଆ ଅଞ୍ଚଳର ଚନ୍ଦନ ରଣା ଗତ ଦେଢ ମାସ ତଳେ ରେମୁଣା ବ୍ଲକ ଭୀମପୁରା ଅଞ୍ଚଳର ବନିତା ସିଂକୁ ବିବାହ କରିଥିଲେ। ତେବେ ବିବାହ ପରେ ଜଣାପଡିଥିଲା ଯେ ଚନ୍ଦନ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ୨ଟି ସନ୍ତାନ ରହିଛି।ତେବେ ବନିତାଙ୍କ ପରିବାର ଏସବୁ କଥା ଜାଣିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣା ଥାନାକୁ ଯାଇଥିଲା। ଉଭୟ ପରିବାରର ଆଲୋଚନା ଭିତରେ ଦୁହେଁ ଅଲଗା ହୋଇ ରହିଥିଲେ। ବନିତା ସିଂ ତାଙ୍କ ଭିମପୁରା ସ୍ଥିତ ଭଉଣୀ ଘରେ ରହୁଥିଲେ ।

ଅଭିଯୋଗ ଅନୁସାରେ ଆଜି ଚନ୍ଦନ ଦେଢଶାଳୀ ଘରକୁ ଆସିଥିଲେ। ସେଠାରେ ଚନ୍ଦନ ଓ ବନିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବନିତାଙ୍କ ଉପରକୁ ଚନ୍ଦନ ଏସିଡ୍‌ ଫିଙ୍ଗିଥିବା ଅଭିଯୋଗ ହୋଇଛି। ବନିତାଙ୍କ ଚିତ୍କାର ଶୁଣି ତାଙ୍କ ବଡ଼ଭଉଣୀ ବର୍ଷା ଓ ତାଙ୍କ(ବର୍ଷାଙ୍କ) ଦୁଇ ପିଲା ଧାଇଁ ଆସିଥିଲେ। ସେମାନେ ମଧ୍ୟ ଏସିଡ ମାଡ଼ରେ ଗୁରୁତର ଆହତ ହୋଇଛି। ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବନୀତାଙ୍କ ସ୍ବାସ୍ଥ୍ଯାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଏସିଡ ମାଡ଼ କରି ଅଭିଯୁକ୍ତ ଚମ୍ପଟ ମାରିଥିବାବେଳେ ସହଦେବଖୁଣ୍ଟା ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏସପି ସାଗରିକା ନାଥ ଏହି ମାମଲା ପ୍ରତ୍ଯକ୍ଷ ତତ୍ବାବଧାନ କରୁଥିବାବେଳେ ଗୁରୁତରଙ୍କୁ ଚିକିତ୍ସା କରୁଥିବା ମେଡିକାଲ ଟିମ ସହିତ ମଧ୍ଯ ଯୋଗାଯୋଗରେ ରହିଛନ୍ତି ବୋଲି ଜିଲ୍ଲା ପୋଲିସ କାର୍ଯ୍ଯାଳୟ ସୂତ୍ରରୁ ପ୍ରକାଶ ।