ଖୁବ୍‌ଶୀଘ୍ର ଦେଖିବାକୁ ମିଳିବ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ : (ସଂକେତ ଟିଭି ) ଦେଶରେ ଖୁବ୍‌ଶୀଘ୍ର ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିବ । ଦିଲ୍ଲୀର ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ଏବେ ଅଧିକ ହେଲାଣି ବୋଲି ଆଇଏମ୍‌ଡି ବୈଜ୍ଞାନିକ ନରେଶ କୁମାର ସୂଚନା ଦେଇଛନ୍ତି । ଏହା ୩୩ ଡିଗ୍ରୀ ସେଲ୍‌ସିୟସ୍‌କୁ ଆଗାମୀ ଦିନରେ ବୃଦ୍ଧି ପାଇବ । ମାର୍ଚ୍ଚରେ ହୋଲି ପୂର୍ବରୁ ତାପମାତ୍ରା ଆହୁରି ବଢ଼ିବ ବୋଲି ସୂଚନା ଦିଆଯାଇଛି ।

ସେହିଭଳି ଉତ୍ତରପଶ୍ଚିମ ଓ ମଧ୍ୟ ଭାରତରେ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ । ତେବେ ଏଠାରେ ନିକଟରେ ଗ୍ରୀଷ୍ମ ପ୍ରବାହ ନେଇ କୌଣସି ସୂଚନା ଆସିନାହିଁ । ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ବଢ଼ିବ । ପ୍ରାୟ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ସମତୁଲ ଅଞ୍ଚଳରେ ରହୁଥିବାବେଳେ ଉପକୂଳରେ ଏହା ୩୭ ଡିଗ୍ରୀ ରହିବ । ପଶ୍ଚିମ କ୍ଷେତ୍ରରେ ହୋଇଥିବା ଅସଂଗତି ଯୋଗୁ ମଧ୍ୟପୂର୍ବରୁ ଗରମ ପବନ ପ୍ରବାହିତ ହେବ । ଏହା ଉତ୍ତରପଶ୍ଚିମ ଭାରତୀୟ ଉପମହାଦେଶରେ ପବନର ଗତିପଥକୁ ବଦଳାଇବ ।
ହିମାଚଳପ୍ରଦେଶରେ ଚଳିତ ବର୍ଷ ସାଧାରଣ ତାପମାତ୍ରା ଠାରୁ ତାପମାତ୍ରା ୭ ରୁ ୮ ଡିଗ୍ରୀ ବୃଦ୍ଧି ପାଇବ । ତେବେ ଏହା କିଛିଦିନ ପରେ କମିବାର ସମ୍ଭାବନା ରହିଛି । ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶରେ ଆଗାମୀ ଦିନରେ ତାପମାତ୍ରା ୩୮ ଡିଗ୍ରୀରେ ପହଞ୍ଚିବ । ଆଗାମୀ ୩ ଦିନରେ ମହାରାଷ୍ଟ୍ରରେ ତାପମାତ୍ରା ୩ ଡିଗ୍ରୀ ହ୍ରାସ ପାଇପାରେ । ପୁଣି ଏହାପରେ ଏହା ବଢ଼ିବାର ସମ୍ଭାବନା ରହିଛି । ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ସୂଚନା ମିଳିଛି । ଯାହା ଗହମ ଚାଷରେ ପ୍ରଭାବ ପକାଇବ ବୋଲି କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା କହିଛନ୍ତି ।