ମହିଳା ଆଇଏଏସ ଓ ଆଇପିଏସ ଅଫିସର ବିବାଦ; ବିନା ପୋଷ୍ଟିଂରେ ଦୁଇ ଅଧିକାରୀଙ୍କୁ ବଦଳି

ନୂଆଦିଲ୍ଲୀ : (ସଂକେତ ଟିଭି ) କର୍ଣ୍ଣାଟକ ସରକାର ଆଇପିଏସ ଅଧିକାରୀ ଡି.ରୁପା ମୌଦଗିଲ ଏବଂ ଆଇଏଏସ ଅଫିସର ରୋହିଣୀ ସିନ୍ଦୁରୀଙ୍କୁ ଆଜି କୌଣସି ସ୍ଥାନରେ ପୋଷ୍ଟିଂ ନ କରି ବଦଳି କରିଛନ୍ତି। ଏହା ସହିତ ଉଭୟ ଅଧିକାରୀଙ୍କୁ ଚେତାବନୀ ଦିଆଯାଇଛି। ଦୁଇ ଅଧିକାରୀଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବ୍ୟକ୍ତିଗତ ଫଟୋ ସେୟାରକୁ ନେଇ ଲଢେଇ ହୋଇଥିଲା । ଏହାକୁ କର୍ଣ୍ଣାଟକ ପ୍ରଶାସନ ଖୁବ ଚର୍ଚ୍ଚାକୁ ଆସିଥିଲା ।

ସେପଟେ, ଡି.ରୁପାଙ୍କ ସ୍ୱାମୀ ଆଇଏଏସ ଅଧିକାରୀ ମୁନୀଶ ମୌଦଗିଲଙ୍କୁ ପ୍ରଚାର ବିଭାଗର ମୁଖ୍ୟ ସଚିବ ନିଯୁକ୍ତ କରାଯାଇଛି । ଡି.ରୁପା ରାଜ୍ୟର ହସ୍ତଶିଳ୍ପ ବିକାଶ ନିଗମର ନିର୍ଦ୍ଦେଶକ ଏବଂ ରୋହିଣୀ ସିନ୍ଦୁରୀ ହିନ୍ଦୁ ଧାର୍ମିକ ବିଭାଗର କମିଶନର ଭାରେ କାର୍ଯ୍ୟରତ ଥିଲେ । ଗୋଟିଏ ଦିନ ପୂର୍ବେ ରାଜ୍ୟର ଗୃହ ମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ଦୁଇ ଅଧିକାରୀଙ୍କ ବ୍ୟବହାରକୁ ନେଇ ଚେତାବନୀ ଦେଇଥିଲେ ।

ସୂଚନା ଅନୁସାରେ, କର୍ଣ୍ଣାଟକ ରାଜ୍ୟ ହସ୍ତତନ୍ତ ବିକାଶ ନିଗମର ଆଇପିଏସ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ରୂପା ଡି ମୋଗଗିଲ ଏବଂ ଆଇଏଏସ ଅଧିକାରୀ ତଥା ହିନ୍ଦୁ ଧର୍ମ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟସ କମିଶନର ରୋହିଣୀ ସିନ୍ଧୁରୀ ଦସାରି ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ। ଦୁଇ ମହିଳା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଲଢେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଇପିଏସ ଡି.ରୁପା ଆଇଏଏସ ରୋହିଣୀ ସିନ୍ଦୁରଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିବାର ଗୋଟିଏ ଦିନ ପରେ ସୋସିଆଲ ମିଡିଆରେ ସିନ୍ଦୁରୀଙ୍କ କିଛି ଫଟୋ ଜାରି କରିଥିଲେ । ଏଥିରେ ରୁପା ଦାବି କରିଥିଲେ ଯେ ଏହି ଫଟୋ ଗୁଡିକୁ ସିନ୍ଦୁରୀ ତିନି ପୁରୁଷ ଆଇଏଏସ ଅଧିକାରୀଙ୍କୁ ୨୦୨୧ରୁ ୨୦୨୨ ମଧ୍ୟରେ ପଠାଇଥିଲେ । ମହିଳା ଆଇଏଏସ ଅଧିକାରୀ ପୁରୁଷ ଆଇଏଏସ ଅଧିକାରୀଙ୍କୁ ନିଜର ବ୍ୟକ୍ତିଗତ ଫଟୋ ପଠାଇ ସେବା ଆଚରଣ ନିୟମର ଉଲ୍ଲଂଘନ କରିଛନ୍ତି ବୋଲି ରୁପା କହିଥିଲେ । ଏହା ପୂର୍ବରୁ ଆଇପିଏସ ରୁପା ଶନିବାର ସିନ୍ଦୁରୀଙ୍କ ବିରୁଦ୍ଧରେ ଦୁର୍ନୀତିର ୧୯ଟି ଅଭିଯୋଗ ଆଣିଥିଲେ ।

ଫଟୋ ଭାଇରାଲ ହେବା ପରେ ମହିଳା ଆଇଏସଏସ ସିନ୍ଦୁରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରୋହଣୀ ସିନ୍ଦୁରୀ ରବିବାର ଏକ ବୟାନରେ କହିଛନ୍ତି, ‘ରୁପା ତାଙ୍କ ବିରୋଧରେ ମିଛ ଅଭିଯାନ ଚଲାଇଛନ୍ତି । ମୁଁ ଭାରତୀୟ ଦଣ୍ଡ ବିଧାନର ବିଭିନ୍ନ ଧାରା ଅଧିନରେ ଅପରାଧ ପାଇଁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି’ ।

ରୋହିଣୀ ସିନ୍ଦୁରୀ କହିଥିଲେ, ‘ସେ(ରୁପା) ମୋତେ ବଦନାମ କରିବା ପାଇଁ ସୋସିଆଲ ମିଡିଆରୁ ଫଟୋ ଏବଂ (ମୋର) ହ୍ୱାଟସଆପ ଷ୍ଟାଟସର ସ୍କ୍ରିନସଟକୁ ଏକାଠି କରିଛନ୍ତି । ଏହାସହ ତାଙ୍କ ଦାବି ଅନୁସାରେ ମୁଁ ଯେଉଁ ଅଧିକାରୀମାନଙ୍କୁ ଫଟୋ ପଠାଇଛି, ସେମାନଙ୍କ ନାଁ ସାର୍ବଜନୀନ କରିବା ପାଇଁ ଆଗ୍ରହ କରୁଛି’।