ଆମେରିକା ସହ ଥିବା ପରମାଣୁ ଚୁକ୍ତିକୁ ସ୍ଥଗିତ ରଖିଲା ଋଷ

ମସ୍କୋ : (ସଂକେତ ଟିଭି ) ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ଯିବାର ଦିନକ ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ଋଷ ପକ୍ଷରୁ ଆମେରିକା ସହ ଥିବା ଏକମାତ୍ର ପରମାଣୁ ଚୁକ୍ତିକୁ ସ୍ଥଗିତ କରିଦିଆଯାଇଛି । ଏହା ଫଳରେ ବିଶ୍ବରେ ପରମାଣୁ ଅସ୍ତ୍ର ପ୍ରତିଯୋଗିତା ଆହୁରି ବଢିବା ଆଶଙ୍କା ସୃଷ୍ଟି ହୋଇଛି । ପରମାଣୁ ଚୁକ୍ତିକୁ ସ୍ଥଗିତ କରିବା ସମ୍ପର୍କରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଘୋଷଣା କରିଛନ୍ତି ।

ପୁଟିନ୍ ସାଂସଦମାନଙ୍କୁ କହିଛନ୍ତି, “ମୁଁ ଆଜି ଘୋଷଣା କରିବାକୁ ବାଧ୍ୟ ହୋଇଛି ଯେ ରୁଷିଆ ରଣନୈତିକ ଅସ୍ତ୍ରଶସ୍ତ୍ର ଚୁକ୍ତିରେ ନିଜର ଅଂଶଗ୍ରହଣକୁ ସ୍ଥଗିତ ରଖିଛି । ସେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶମାନେ ହିଁ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିଛନ୍ତି । କିନ୍ତୁ ଯୁଦ୍ଧରେ ରୁଷକୁ ହରାଇବା ଅସମ୍ଭବ ବୋଲି ସେ ଦାବି କରିଛନ୍ତି ।

ପୁଟିନ୍ ମଙ୍ଗଳବାର ମସ୍କୋରେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶ ମାନଙ୍କ ସହ ଆଲୋଚନା ଏବଂ କୂଟନୀତିର ମାର୍ଗକୁ ଆଗକୁ ବଢ଼ାଇବା ପାଇଁ ରୁଷ୍ ପ୍ରସ୍ତୁତ ଅଛି । ସେ ନାଟୋର ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ରୁଷର ଶାନ୍ତି ପ୍ରସ୍ତାବ ବଦଳରେ ବିଶ୍ବାସଘାତକତା ହିଁ ମିଳିଛି ।

ନିଜ ଭାଷଣରେ ରୁଷ ରାଷ୍ଟ୍ରପତି ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କୁ ଟାର୍ଗେଟ କରି ଅଭିଯୋଗ କରିଥିଲେ ଯେ ପାଶ୍ଚାତ୍ୟ ଦେଶ ଏକ ସ୍ଥାନୀୟ ସଂଘର୍ଷକୁ ବିଶ୍ୱ ସଂଘର୍ଷରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ରୁଷ ତାହାର ଉଚିତ ଜବାବ ଦେବ । ଆମେ ଆମ ଦେଶର ଅସ୍ତିତ୍ୱ ବିଷୟରେ କହୁଛୁ ବୋଲି ସେ କହିଛନ୍ତି ।

ଗତ ଏକ ବର୍ଷ ଧରି ୟୁକ୍ରେନକୁ ସାମରିକ ସହାୟତା ଯୋଗାଉଥିବା ଦେଶର ନାମ ନ ନେଇ ପୁଟିନ୍ ଆମେରିକାକୁ ଚେତାବନୀ ଦେଇଛନ୍ତି। ୟୁକ୍ରେନକୁ ଯେତେ ଦୂରଗାମୀ ଅସ୍ତ୍ରଶସ୍ତ୍ର ପଠାଯିବ, ରୁଷ ଏହି ବିପଦକୁ ସେତେ ଦୂରକୁ ଠେଲିଦେବ । ରୁଷ ପର୍ଯ୍ୟାୟକ୍ରମେ ଓ ସତର୍କତାର ସହ ଏବଂ ଶୃଙ୍ଖଳିତ ଭାବରେ ନିଜର ଲକ୍ଷ୍ୟ ହାସଲ କରିବ ।