ତେଲ ଲିକ୍‌ ହେବାରୁ ଆମେରିକାରୁ ଆସୁଥିବା ଏୟାର ଇଣ୍ଡିଆ ବିମାନ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ : (ସଂକେତ ଟିଭି) ବିମାନର ଇଞ୍ଜିନରୁ ତେଲ ଲିକ୍‌ ହେବା କାରଣରୁ ଆମେରିକାରୁ ଭାରତକୁ ଆସୁଥିବା ଏୟାର ଇଣ୍ଡିଆର ବିମାନ ଷ୍ଟକହୋମ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରେ ୩୦୦ ଜଣ ଯାତ୍ରୀ ଥିଲେ ।

ସୂଚନା ଅନୁସାରେ ଏୟାର ଇଣ୍ଡିଆ ବିମାନ AI106 ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ସମୟରେ ତ୍ରୁଟି ଦେଖାଦେଇଥିଲା। ଯାହା ଫଳରେ ୩୦୦ ଯାତ୍ରୀଙ୍କ ସହିତ ସ୍ୱିଡେନର ଷ୍ଟକହୋମ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି।

ଅନ୍ୟପଟେ ଏହି ଘଟଣାକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ଯେ ଏୟାର ଇଣ୍ଡିଆର AI106 ବିମାନ ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଆସୁଥିଲା। ବିମାନର ଇଞ୍ଜିନରୁ ତେଲ ଲିକ୍‌ ହେବା କାରଣରୁ ବିମାନକୁ ଷ୍ଟକହୋମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ତେବେ ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।