ଆମେରିକାର ତଦନ୍ତକାରୀ ସଂସ୍ଥା FBI କରିବ ନବ ଦାସଙ୍କ ହତ୍ୟା ଘଟଣାର ଖୋଳତାଡ

ଭୁବନେଶ୍ୱର : (ସଂକେତ ଟିଭି) ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ଲାଗି ଆମେରିକୀୟ ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ( ଏଫବିଆଇ)ର ସହାୟତା ନିଆଯିବ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସର ମାନସିକ ସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ଲାଗି ଏଫବିଆଇର ବୈଷୟିକ ସହାୟତା ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୃହରେ ସୂଚନା ଦେଇଛନ୍ତି।

ଏଭଳି କେସ୍‌ରେ ଅପରାଧୀର ବ୍ୟବହାରିକ ବିଶ୍ଲେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଅନୁଷ୍ଠାନ ଏଫବିଆଇର ସହାୟତା ନେବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ ଉଦ୍ୟମ କରୁଛି। କାରଣ ଏଭଳି ସମ୍ବେଦନଶୀଳ ଅପରାଧର ତଦନ୍ତ ଲାଗି ଅପରାଧୀର ବ୍ୟାବହାରିକ ବିଶ୍ଲେଷଣ ନିମନ୍ତେ ଯେଉଁ ପାରଦର୍ଶିତା ଲୋଡା ତାହା ଏଫବି୍ଆଇ ପାଖରେ ଉପଲବ୍ଧ। ଏଣୁ ମୁଖ୍ୟ ଅଭିଯୁକ୍ତର ମାନସିକ ସ୍ଥିତିର ପ୍ରକୃଷ୍ଟ ବିଶ୍ଲେଷଣ ଲାଗି ଏଫବିଆଇର ବିହେଭି୍ଅରାଲ୍ ସପୋର୍ଟ ଟିମ୍ ର ସହାୟତା ଆମକୁ ଯୋଗାଇଦେବା ଲାଗି ଆମେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିଛୁ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏ ପ୍ରସଙ୍ଗରେ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି । ନବ ଦାସ ହତ୍ୟା ଘଟଣାର ତଦନ୍ତ ପାଇଁ ଯାହା ବି କିଛି ଆବଶ୍ୟକ ତାହା ନିଶ୍ଚିତ କରାଯିବ। ମୁଖ୍ୟମନ୍ତ୍ରୀ ଗୃହକୁ ପୁନଃ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଦେଶ ତଥା ଦେଶ ବାହାରର ପ୍ରତିଷ୍ଠିତ ବିଶେଷଜ୍ଞ ମାନଙ୍କ ସହାୟତା ନେଇ ଏହି କେସ୍‌ର ସଂପୂର୍ଣ୍ଣ ନିରପେକ୍ଷ ଓ ମୁକ୍ତ ତଦନ୍ତକୁ ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ପଦକ୍ଷେପ ନେବୁ। ମୋ ସରକାରର ଏକମାତ୍ର ଲକ୍ଷ୍ୟ ହେଉଛି ଏହିଭଳି ଅପରାଧ କରୁଥିବା ଅପରାଧୀମାନଙ୍କୁ ଆଇନର କାଠଗଡାକୁ ଆଣିବା ଏବଂ ସେମାନଙ୍କୁ କଠୋର ଦଣ୍ଡ ଦେବା। ଓଡିଶାବାସୀ ବାରମ୍ବାର ମୋ ଉପରେ ବିଶ୍ବାସ ରଖିଛନ୍ତି ଓ ଦାୟିତ୍ବ ଅର୍ପଣ କରିଛନ୍ତି ଏବଂ ମୁଁ ବିନା ଭୟ ବା ପକ୍ଷପାତରେ ସେମାନଙ୍କର ଏହି ଭରସାକୁ ବଜାୟ ରଖିବା ପାଇଁ କାମ କରିଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।