କଂଗ୍ରେସ ନେତା ପବନ ଖେଡାଙ୍କୁ ପ୍ଲେନ୍ରୁ ଓହ୍ଲାଇ ଗିରଫ କଲା ଆସାମ ପୋଲିସ
ନୂଆଦିଲ୍ଲୀ : (ସଂକେତ ଟିଭି) ଛତିଶଗଡ଼ର ରାୟପୁରରେ ହେବାକୁ ଥିବା କଂଗ୍ରେସ ମହାଅଧିବେଶନକୁ ଯୋଗ ଦେବାକୁ ଯାଉଥିବା ବରିଷ୍ଠ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯିବା ପରେ ଆସାମ ପୁଲିସ ଆସି ତାଙ୍କୁ ଗିରଫ କରିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଦେଇଥିବା ତ୍ରୁଟିପୂର୍ଣ୍ଣ ମନ୍ତବ୍ୟ ମାମଲାରେ ତାଙ୍କ ନାମରେ ଆସାମ ସମେତ ଏକାଧିକ ସ୍ଥାନରେ ମାମଲା ରୁଜୁ କରାଯାଇଥିଲା । ଆସାମ ପୋଲିସ ଆଜି ତାଙ୍କୁ ନାଟକୀୟ ଢଙ୍ଗରେ ବିମାନରୁ ଓହ୍ଲାଇ ଗିରଫ କରିଛି ।
ତେବେ ପବନ ଖେଡ଼ାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଦିଲ୍ଲୀ ବିମାନ ବନ୍ଦରର ୧ ନମ୍ବର ଟର୍ମିନାଲ୍ରେ ସାଂସଦଙ୍କ ସମେତ ପ୍ରାୟ ୫୦ଜଣ କଂଗ୍ରେସ ନେତା ଧାରଣାରେ ବସି ବିମାନଟିକୁ ରାୟପୁର ଛାଡିନଥିଲେ। ମୋଦି ସରକାର ଏକଛତ୍ରବାଦୀ ନୀତି ଚଳାଇଛନ୍ତି ବୋଲି କଂଗ୍ରେସ ନେତା ଧାରଣ ଓ ନାରାବାଜୀ କରିଥିଲେ । ଏହାକୁ ନିନ୍ଦା କରିବା ସହ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି କଂଗ୍ରେସ କହିଛି ।
ଗିରଫ ପବନ ଖେଡାଙ୍କୁ ଦିଲ୍ଲୀର ଦ୍ବାରକା କୋର୍ଟରେ ଆସାମ ପୋଲିସ ହାଜର କରିଛି । ଜାରି ମାମଲାରେ ତାଙ୍କୁ ଟ୍ରାଂଜିଟ ରିମାଣ୍ଡରେ ଆସାମ ନେବା ପାଇଁ ନିବେଦନ ମଧ୍ୟ କରିଥିଲା । ସେପଟେ ଏହି ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଥିଲା । ବରିଷ୍ଠ ଆଇନଜୀବୀ ଅଭିଖେକ ମନୁ ସିଙ୍ଗଭି ପବନଙ୍କ ପକ୍ଷ ରଖିଥିଲେ ।
ସିଂଘଭି ସୁପ୍ରିମ୍କୋର୍ଟଙ୍କୁ କହିଛନ୍ତି ଯେ କଂଗ୍ରେସ ନେତା କ୍ଷମା ମାଗିଛନ୍ତି ଏବଂ ଏହା ଏକ ଭୁଲ୍; ଜିଭରୁ ଖସିଯିବା ଘଟଣା ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆସାମ ପୁଲିସ ପକ୍ଷରୁ ହାଜର ହୋଇଥିବା ଓକିଲ ସୁପ୍ରିମ୍କୋର୍ଟଙ୍କୁ ଜଣାଇଛନ୍ତି ଯେ ପଓ୍ଵନ ଖେରାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ଟ୍ରାନଜିଟ୍ ରିମାଣ୍ଡ ପାଇଁ କୋର୍ଟରେ ହାଜର କରାଯିବ।
ଉଭୟ ପକ୍ଷଙ୍କୁ ଶୁଣିବା ପରେ ସୁପ୍ରିମ୍କୋର୍ଟ କହିଛନ୍ତି, ସମସ୍ତ ଏଫ୍ଆଇଆର୍ ସଂକ୍ରାନ୍ତରେ ଆବେଦନକାରୀ ନ୍ୟାୟିକ ଅଦାଲତରେ ନିୟମିତ ଜାମିନ ପାଇଁ ଆବେଦନ ନ କରିବା ପର୍ଯ୍ୟନ୍ତ ତାଙ୍କୁ ସୁରକ୍ଷା ଦେବା ପାଇଁ ଆମେ ନିର୍ଦ୍ଦେଶ ଦେଉଛୁ ଯେ ଆବେଦନକାରୀଙ୍କୁ ତାଲିକାଭୁକ୍ତ କରିବାର ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଆଜି ସନ୍ଧ୍ୟାରେ ଦିଲ୍ଲୀ ଅଦାଲତ ଅନ୍ତରୀଣ ଜାମିନରେ ମୁକ୍ତ କରିବେ।