ସବୁ ଜିଲ୍ଲାରେ ଏଲଆଇସି ଓ ଷ୍ଟେଟ ବ୍ୟାଙ୍କ ଆଗରେ ଧାରଣା ଦେବ କଂଗ୍ରେସ
ଭୁବନେଶ୍ୱର : (ସଂକେତ ଟିଭି) ଆସନ୍ତା ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତି ଜିଲ୍ଲାର ସଦର ମହକୁମାଠାରେ କଂଗ୍ରେସ ପକ୍ଷରୁ ଏସବିଆଇ ଏବଂ ଏଲଆଇସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ପ୍ରଧାନମନ୍ତ୍ରୀ ମୋଦି ଆଦାନୀ ଭଳି ନିର୍ଦ୍ଦିଷ୍ଟ କିଛି ପୁଞ୍ଜିପତିଙ୍କୁ ଦେଶର ସମସ୍ତ ଜାତୀୟ ସମ୍ପତ୍ତି ଟେକି ଦେଇଥିବା ଅଭିଯୋଗ କରି ଏହି ଧାରଣା ଦିଆଯିବ । ଏହାସହିତ ବ୍ଲକ ଘେରାଉ ମଧ୍ଯ କରାଯିବ । କଂଗ୍ରେସ ନେତା ସୁର ରାଉତରାୟ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଆଦାନୀ ଓ ଅମ୍ବାନୀଙ୍କ ପାଇଁ ଭାରତୀୟ ପୁଞ୍ଜି ବଜାର ବିଶ୍ବର ସର୍ବବୃହତ ଷ୍ଟକ ବଜାର ମାନ୍ୟତା ହରାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶିଳ୍ପପତିଙ୍କୁ ଅନେକ ଅର୍ଥ ପ୍ରଦାନ କରିଛନ୍ତି । ବିଗତ ୯ ମାସ ମଧ୍ୟରେ ପ୍ରଥମ ଥର ପାଇଁ ବ୍ରିଟେନକୁ ଭାରତକୁ ଅତିକ୍ରମ କରି ବିଶ୍ବର ଷଷ୍ଠ ବୃହତ ପୁଞ୍ଜି ବଜାର ହୋଇଛି । ଭାରତର ସେୟାର ବଜାର ହ୍ରାସ ଯୋଗୁଁ ୪ ଦିନରେ ନିବେଶକ ୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସରକାର ନିର୍ଦ୍ଦିଷ୍ଟ କିଛି ପୁଞ୍ଜିପତିଙ୍କୁ ଦେଶର ସମସ୍ତ ଜାତୀୟ ସମ୍ପତ୍ତି ଟେକି ଦେଇଛନ୍ତି । ଦେଶର ଆର୍ଥିକ ସ୍ଥିତି ଶୋଚନୀୟ ହେବାରେ ଲାଗିଛି । ଦେଶ କାଙ୍ଗାଳ ହେବାକୁ ବସିଲାଣି । ଲୋକଙ୍କ ଉପରେ ଆର୍ଥିକ ବୋଝ ବଢ଼ିଚାଲିଛି ।
ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଡାକରାରେ ସାରା ଦେଶରେ ଏହା ବିରୋଧରେ ପ୍ରତିବାଦ କରାଯିବ ରାଜ୍ୟ କଂଗ୍ରେସ କହିଛି । କଂଗ୍ରେସର ୩୩ଟି ସାଙ୍ଗଠନିକ ଜିଲ୍ଲାରେ ଏହା ବିରୋଧରେ ପ୍ରତିବାଦ ଚାଲିବ । ଆସନ୍ତା ସପ୍ତାହରେ ବ୍ଲକ ଘେରାଉ କରାଯିବ । ଏହାସହ ବିଧାନସଭା ଘେରାଉ ମଧ୍ୟ କରାଯିବ । ଲୋକଙ୍କୁ ସଚେତନ କରିବା ପାଇଁ କଂଗ୍ରେସ ଏହି ପ୍ରତିବାଦ କରିବ ବୋଲି କଂଗ୍ରେସ ନେତା ସୂଚନା ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ରାଜଭବନ ଘେରିବ କଂଗ୍ରେସ । ଶେଷରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ।