ବାଲେଶ୍ୱର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ବାଲେଶ୍ୱର : (ସଂକେତ ଟିଭି) ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ୪ ଜଣ ଡିଏସପି, ୧୦ ଇନ୍ସପେକ୍ଟର, ୨ ସବ୍-ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଇଛି । ପୁରୀର ହରିଚଣ୍ଡୀ ସାହିରେ ଥିବା ତାଙ୍କ ଘର, ମଦନମୋହନ ଲେନରେ ଅବସ୍ଥିତ ଅଜୟ କୁମାର ସେନାପତିଙ୍କ ଆବାସିକ ଘର, ଅନନ୍ୟା ପାମ୍ ବିଚର ଦ୍ବିତୀୟ ମହଲାରେ ଥିବା ୨୦୬୩ ନମ୍ବର ଫ୍ଲାଟ୍, ବାଲେଶ୍ୱରର ସରକାରୀ କ୍ବାର୍ଟର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଆର ଆଣ୍ଡ ବି) ଡିଭିଜନ୍-୨, ବାଲେଶ୍ୱରରେ ଥିବା ଶ୍ରୀ ସେନାପତିଙ୍କ ଅଫିସ୍ ରୁମ୍, ଖୋର୍ଦ୍ଧାର ବାଲୁଗାଁରେ ଦୁଇ ମହଲା କୋଠା, ବାଣପୁରର ଭାଗବତ ସାହିରେ ଥିବା ପୈତୃକ ଘର ଟଟାଙ୍ଗୀରେ ଥିବା ଶ୍ରୀ ସେନାପତିଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇଛି।
ଚଢ଼ାଉ ବେଳେ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଘରୁ ନଗଦ ଲକ୍ଷେ ୨୨ ହଜାର ଟଙ୍କା, ଦୁଇଟି କୋଠା ଘର, ଗୋଟିଏ ଫ୍ଲାଟ, ପଞ୍ଚାନବେ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଗୋଟିଏ ଚାରି ଚକିଆ ଗାଡ଼ି ସହ ସୁନା ଅଳଙ୍କାର ଜବତ କରାଯାଇଥିବା ଜଣାପଡିଛି ।