ଅଧ୍ୟକ୍ଷାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ପୁରାତନ ଛାତ୍ର

ଭୋପାଳ : (ସଂକେତ ଟିଭି) କଲେଜ ଅଧ୍ୟକ୍ଷାଙ୍କ ଦେହେରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ପୂର୍ବତନ ଛାତ୍ର । ମଧ୍ୟପ୍ରଦେଶର ଇନ୍ଦୋରରେ ସୋମବାର ଜଣେ ପୂର୍ବତନ ଛାତ୍ରଙ୍କ ଏଭଳି କାଣ୍ଡ ଘଟାଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଅଧ୍ଯକ୍ଷାଙ୍କ ଆଜି ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, ଇନ୍ଦୋରର ସିମରୋଲ ଥାନା ଅଧୀନରେ ଥିବା ବିଏମ ଫାର୍ମାସି କଲେଜର ଅଧ୍ଯକ୍ଷା ଡବିମୁକ୍ତା ଶର୍ମାଙ୍କ ଉପରେ ସୋମବାର 24 ବର୍ଷୀୟ ଆଶୁତୋଷ ଶ୍ରୀବାସ୍ତବ ନାମକ ଜଣେ ପୂର୍ବତନ ଛାତ୍ର ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଅଧ୍ୟକ୍ଷାଙ୍କ ଶରୀରର ପ୍ରାୟ 80 ପ୍ରତିଶତରୁ ଅଧିକ ପୋଡି ଯାଇଥିଲା । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ 5 ଦିନର ଚିକିତ୍ସା ପରେ ସେ ଆଜି ଶେଷରେ ଆଖି ବୁଜିଛନ୍ତି । ଅଭିଯୁକ୍ତ ପୁରାତନ ଛାତ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେହିଦିନ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଇନ୍ଦୋର ଗ୍ରାମୀଣ ପୋଲିସ ଅଧୀକ୍ଷକ ଭାଗଓ୍ବତ ସିଂ ଭିରଦେଙ୍କ ସୂଚନା ଅନୁସାରେ ଏକ ମାର୍କସିଟ କାରଣରୁ ଅଭିଯୁକ୍ତ ଜଣଙ୍କ ଏପରି ହତ୍ୟା ଉଦ୍ୟମ କରିଥିଲା । ଅଭିଯୁକ୍ତ ଛାତ୍ରକୁ ପୋଲିସ ଘଟଣା ଦିନ ହିଁ ଗିରଫ କରିଥିଲା । ପୂର୍ବରୁ ତାର ନାମରେ ହତ୍ୟା ଉଦ୍ୟମ ଦଫା ଲାଗିଥିବା ବେଳେ ଏବେ ଅଧ୍ୟକ୍ଷାଙ୍କ ମୃତ୍ୟୁ ହେବା ପରେ ଜାତୀୟ ସୁରକ୍ଷା ଆକ୍ଟରେ ମାମଲା ରୁଜୁ ହେବ ।

ଗତବର୍ଷ 2022 ଜୁଲାଇରେ ହୋଇଥିବା ଏକ ପରୀକ୍ଷାର ମାର୍କସିଟି ବାବଦରେ ଅଭିଯୁକ୍ତ କଲେଜକୁ ଆସି ଅଧ୍ୟକ୍ଷାଙ୍କ ସହ ବଚସା ଓ ପରେ ହତ୍ୟା ଉଦ୍ୟମ କରିଥିଲା । ସେ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଭିଆଇବା ପାଇଁ ହାତରେ ପେଟ୍ରୋଲ ଧରି ଆସିଥିବା ପୋଲିସ କହିଛି । ଅନ୍ୟପଟେ ଅଭିଯୁକ୍ତର ମାର୍କସିଟି ସମ୍ପର୍କିତ ଅଭିଯୋଗକୁ କଲେଜ କର୍ତ୍ତୃପକ୍ଷ ଖଣ୍ଡନ କରିବା ସହ ମିଥ୍ୟା ବୋଲି ଦର୍ଶାଇଛନ୍ତି ।