ରାଜନୀତିରୁ କେବେ ଅବସର ନେବିନି ସୋନିଆ ଗାନ୍ଧୀ
ରାୟପୁର : (ସଂକେତ ଟିଭି) ସୋନିଆ ଗାନ୍ଧୀ ଏବେ ରାଜନୀତିରୁ ସନ୍ନ୍ୟାସ ନେବେନି। ନିଜେ ସୋନିଆ ଗାନ୍ଧୀ ଏହା ସ୍ପଷ୍ଟ କରିଛନ୍ତି। ସେ ରାଜନୀତି ଛାଡିବା ନେଇ ହେଉଥିବା ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରିବା ସହ ସବୁ ଆକଳନ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି। ସେ କହିଛନ୍ତି, ସେ ରାଜନୀତିରୁ କେବେ ଅବସର ନେଇନଥିଲେ କି ଆଗକୁ ବି ନେବେନାହିଁ।
ସେପଟେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଗଣମାଧ୍ୟମକୁ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ପ୍ରସଙ୍ଗ ଉପରେ ତାଙ୍କର ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ହୋଇଥିଲା। ଗଣମାଧ୍ୟମ ଏବଂ ସାଧାରଣରେ ହେଉଥିବା ଚର୍ଚ୍ଚା ନେଇ ସେ ସୋନିଆଙ୍କୁ ଅବଗତ କରାଇଥିଲେ। ତେବେ ସୋନିଆ ହସି ହସି ଏସବୁକୁ ଖଣ୍ଡନ କରିଥିବା ଅଳକା ଲାମ୍ବା କହିଛନ୍ତି।
ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସର ୮୫ତମ ଅଧିବେଶନ ଚାଲିଛି। ଗତକାଲି ଅଧିବେଶନରେ କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାବବିହ୍ୱଳ ଅଭିଭାଷଣ ରଖିଥିଲେ। ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରି ଅଧ୍ୟକ୍ଷ ଥିବା ସମୟର ଅନୁଭୂତି ବଖାଣିଥିଲେ। ଏଥିସହ ସବୁଠୁ ପୁରାତନ ଦଳର ଅଧ୍ୟକ୍ଷତା ସମୟରେ ଦଳୀୟ କର୍ମୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ସୋନିଆଙ୍କ ଏଭଳି ଅଭିଭାଷଣ ପରେ ସେ ରାଜନୀତିରୁ ସନ୍ନ୍ୟାସ ନେଉଥିବା ଚର୍ଚ୍ଚା ଜୋର ଧରିଥିଲା।