ଭତ୍ତା ପାଇବା ପାଇଁ ଅନ୍ଲାଇନ ଆବେଦନ କରି ଅପେକ୍ଷାରେ ୫ଲକ୍ଷ
ଭୁବନେଶ୍ୱର : (ସଂକେତ ଟିଭି) ରାଜ୍ୟ ସରକାର ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଯୋଜନା, ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଯୋଜନା, ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଯୋଜନା ଓ ମଧୁବାବୁ ପେନ୍ସନ୍ ଯୋଜନାରେ ମୋଟ ୪୮ଲକ୍ଷ ୭୬ହଜାର ୬୫୯ଜଣଙ୍କୁ ଭତ୍ତା ଦେଉଛନ୍ତି ।
ଅନଲାଇନ୍ ଜରିଆରେ ଆଉ ୫ଲକ୍ଷ ୮ହଜାର ୨୦୬ଜଣ ହିତାଧିକାରୀ ଆବେଦନ କରିଛନ୍ତି । ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ବିଭିନ୍ନ ବର୍ଗରେ ମାସିକ ୫ଶହ ଟଙ୍କା, ୭ଶହ ଟଙ୍କା ଏବଂ ୯ଶହ ଟଙ୍କା ହାରରେ ଭତ୍ତା ଦିଆଯାଉଛି । ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ଜିଲ୍ଲାୱାରୀ ତାଲିକା ହେଉଛି ଅନୁଗୁଳରେ ୧୨ଲକ୍ଷ ୭୧ହଜାର ୧୭୭ଜଣ, ବାଲେଶ୍ୱରରେ ୨,୪୮,୭୭୪ଜଣ, ବରଗଡରେ ୧,୯୦,୨୫୬ଜଣ, ଭଦ୍ରକରେ ୧,୫୧,୪୭୦ଜଣ, ବଲାଙ୍ଗିରରେ ୨,୦୬,୨୧୨ଜଣ, ବୌଦ୍ଧରେ ୫୬,୭୫୯ଜଣ, କଟକରେ ୨,୭୫,୯୪୫ଜଣ, ଦେବଗଡରେ ୩୮,୬୭୬ଜଣ, ଢେଙ୍କାନାଳରେ ୧,୪୬,୩୩୭ଜଣ, ଗଜପତିରେ ୭୮,୦୦୫ଜଣ, ଗଞ୍ଜାମରେ ୩,୭୦,୦୫୧ଜଣ, ଜଗତସିଂହପୁରରେ ୧, ୩୪,୪୦୨ଜଣ, ଯାଜପୁରରେ ୧,୯୫,୪୨୨ଜଣ, ଝାରସୁଗଡାରେ ୫୯,୭୬୧ଜଣ ହିତାଧିକାରୀ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଛନ୍ତି ।
ସେହିପରି ଜାତୀୟ ସାମାଜିକ ସହାୟତା ଯୋଜନା ଓ ମଧୁବାବୁ ପେନ୍ସନ୍ ଯୋଜନାରେ ଡାଇରେକ୍ଟ ବେନ୍ଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ୩୫ଲକ୍ଷ ୧୦ହଜାର ୭୮୪ଜଣ ହିତାଧିକାରୀଙ୍କୁ ଭତ୍ତା ଦିଆଯାଇଛି । ଯେଉଁ ହିତାଧିକାରୀମାନେ ବ୍ୟାଙ୍କ ଆକାଉଣ୍ଟରୁ ଭତ୍ତା ଉଠାଇବାରେ ଅସମର୍ଥ ହେଉଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ସିଏସ୍ପି ଓ ବିସି ମାନଙ୍କ ଦ୍ୱାରା ସେମାନଙ୍କ ଘରେ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏହା ବ୍ୟତୀତ ଯେଉଁ ହିତାଧିକାରୀମାନେ ଡିବିଟି ଜରିଆରେ ଭତ୍ତା ନେଉନାହାନ୍ତି ସୋମନଙ୍କୁ ସରକାର ଟଙ୍କା ଆକାରରେ ଭତ୍ତା ପ୍ରଦାନ କରୁଛନ୍ତି । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଦର୍ଶାଇଛନ୍ତି ।