ମୟୂରଭଞ୍ଜ, ଦେବଗଡ଼, କେନ୍ଦୁଝର ଏବଂ ଜିଲ୍ଲାରେ ସୁନା ଖଣି ଚିହ୍ନଟ
ଭୁବନେଶ୍ୱର : (ସଂକେତ ଟିଭି) ଓଡ଼ିଶାର ୩ ଜିଲ୍ଲାରେ ଦେବଗଡ଼, କେନ୍ଦୁଝର, ଏବଂ ମୟୂରଭଞ୍ଜରେ ସୁନା ଖଣି ଚିହ୍ନଟ ହୋଇଛି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୋମବାର ଗୃହରେ ଏହି ସୂଚନା ଦେଇଛନ୍ତି।
ବିଧାୟକ ସୁଧୀର ସାମଲ୍ ବିଧାନସଭାରେ ରାଜ୍ୟର କୌଣସି ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି କି, ଯଦି ମିଳିଛି ତେବେ ତାର ସବିଶେଷ ବିବରଣୀ ଦେବାକୁ ଇସ୍ପାତ ଏବଂ ଖଣି ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହାର ଉତ୍ତର ଦେଇ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି ଯେ, ରାଜ୍ୟର ତିନି ଜିଲ୍ଲା ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜର ଅନେକ ଅଞ୍ଚଳରେ ମାଟି ତଳେ ସୁନା ପଥର ଗଚ୍ଛିତ ରହିଛି। ଖଣି ଏବଂ ଭୂତତ୍ଵ ନିର୍ଦ୍ଦେଶାଳୟ ଜିଏସଆଇର ଅନୁସନ୍ଧାନରୁ ଏହା ଜଣା ପଡିଛି।
ମନ୍ତ୍ରୀ କହିଛନ୍ତି, ଦେବଗଡ ଜିଲ୍ଲାର ଆଡସ, କେନ୍ଦୁଝର ଜିଲ୍ଲାର ଗୋପୁର, ଗାଜିପୁର, ଉସବେଳା, ଅଡାଳ, ତେଲକୋଇର ସଢେଇକଳା, ତିମିରିମୁଣ୍ଡା, କରଡଙ୍ଗା ଏବଂ ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗଡା, ଗୁଆଁସି, ଇଡେଇକୁଡା, ମାରେଇଡିହି, ସୁଲେଇକଟର ଏବଂ ବାଦାମପାହାଡ ଅଞ୍ଚଳରେ ସୁନା ପଥର ଥିବା ସର୍ଭେରୁ ଜଣା ପଡିଛି ।