ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ, ବୃହସ୍ପତି-ଶୁକ୍ର ହେବେ ନିକଟତର

ଭୁବନେଶ୍ୱର : (ସଂକେତ ଟିଭି) ଆସନ୍ତା ମାର୍ଚ୍ଚ ୧ ତାରିଖରେ ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ସୌର ଜଗତର ଦୁଇଟି ଉଜ୍ୱଳତମ ଗ୍ରହ ବୃହସ୍ପତି ଓ ଶୁକ୍ର ନିକଟତର ହେବେ । ପଶ୍ଚିମ ଆକାଶରେ ଏହି ଦୁଇ ଗ୍ରହ ଅତି ପାଖାପାଖି ଦେଖାଦେବେ । ସେମାନଙ୍କ ଭିତରେ ବ୍ୟବଧାନ ରହିବ ମାତ୍ର ୦.୫ ଡିଗ୍ରୀ । ଯାହାକି ପୂର୍ଣ୍ଣଚନ୍ଦ୍ରର ବ୍ୟାସ ସହ ସମାନ । ଏହା ଏକ ବିରଳ ଜାଗତିକ ଦୃଶ୍ୟ । ଯାହାକି ପ୍ରତି ଦୁଇରୁ ତିନି ବର୍ଷ ମଧ୍ୟରେ ଥରେ ଘଟିଥାଏ ଓ ମହାକାଶରେ ଦେଖା ଯାଇଥାଏ ।

ଗତ ଫେବ୍ରୁଆରୀ ୧ ତାରିଖରେ ଏମାନେ ୨୯ ଡିଗ୍ରୀ ଦୂରରେ ରହିଥିବା ବେଳେ ଏବେ କ୍ରମେ ନିକଟତର ହେଉଥିବା ଦେଖିବାକୁ ମିଳୁଛି । ଏମାନଙ୍କ ମଧ୍ୟରେ ବର୍ତ୍ତମାନ ବ୍ୟବଧାନ ମାତ୍ର ୫ରୁ ୬ ଡିଗ୍ରୀ ଭିତରେ ରହୁଛି । ବର୍ତ୍ତମାନ ପଶ୍ଚିମ ଆକାଶରେ ଦୁଇଟି ଗ୍ରହ ଦେଖା ଯାଉଛି । ଧୀରେଧୀରେ ବୃହସ୍ପତି ତଳକୁ ଏବଂ ଶୁକ୍ର ଗ୍ରହ ଉପରକୁ ଗତି କରୁଥିବା ଦେଖିବାକୁ ମିଳୁଛି ।

ଆସନ୍ତା ମାର୍ଚ୍ଚ ୧ ତାରିଖରେ ଏହି ଦୁଇଟି ଗ୍ରହ ଅତି ପାଖାପାଖି ହୋଇଯିବେ । ଓଡ଼ିଶାବାସୀ ଏହି ମହାଜାଗତିକ ଦୃଶ୍ୟ ଦେଖି ପାରିବେ । ଆକାଶ ମେଘମୁକ୍ତ ରହିଲେ ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଆକାଶରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଖାଲି ଆଖିରେ ଦେଖି ହେବ । ବିଶେଷ କରି ସନ୍ଧ୍ୟା ୬ଟାରୁ ୭ଟା ଭିତରେ ଏହା ଦୃଶ୍ୟମାନ ହେବ । ଏହି ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକ ନାହିଁ ବୋଲି ପଠାଣିସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।