ବିଜେପି ଯୁବମୋର୍ଚ୍ଚାର ରାଲି ବେଳେ ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର : (ସଂକେତ ଟିଭି) ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି ବେଳେ ଆଜି ଭୁବନେଶ୍ବରର ଲୋୟର ପିଏମଜିଠାରେ ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଫଳରେ ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଥିଲା ।

ସୂଚନା ଅନୁସାରେ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ବିଜେପି ଯୁବ ମୋର୍ଚ୍ଚା ରାଜଧାନୀରେ ବିଶାଳ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ବିକ୍ଷୋଭକାରୀମାନେ ଭିଡ଼ ଭିତରୁ ପୋଲିସ ଉପରକୁ ଗରମ ପାଣି ପାଉଚ ଚପଲ ଓ ଅଣ୍ଡାମାଡ଼ କରିବା ପରେ ପୋଲିସ ଲାଠିଚାର୍ଜ କରିଥିବା ସୂଚନା ମିଳିଛି ।

ବାରିକେଡ ଭାଙ୍ଗି ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଅଭିମୁଖେ ବାହାରିଥିବା ବେଳେ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ଏହାପରେ ପୋଲିସ ବିଜେପି କର୍ମୀଙ୍କ ଉପରକୁ ଲାଠିଚାର୍ଜ କରିଛି । ଏହି ଧସ୍ତାଧସ୍ତି ବେଳେ କିଛି ବିଜେପି ଓ ପୋଲିସ କର୍ମୀ ଆହତ ହୋଇଛନ୍ତି ।

ଏନେଇ ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି, ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡ଼ିଛି । ଗୋଟିଏ ମାସ ବିତିଥିବା ବେଳେ ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଜଣାପଡ଼ିନାହିଁ । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ରହିଥିଲେ ମଧ୍ୟ ତଦନ୍ତ ସଠିକ ବାଟରେ ଯାଉନାହିଁ । ରାଜ୍ୟରେ ଅରାଜକତା ବ୍ୟାପିବାରେ ଲାଗିଛି । ଯେପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧୁରିନି ଓ ନବ ଦାସ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ ସେ ପର୍ଯ୍ୟନ୍ତ ଲଢେଇ ହେବ ।