ପିସି ବ୍ରିଜ୍ରୁ ଡେଇଁଲେ ଭିସୁଟ୍ ଛାତ୍ରୀ, ମୃତ ଦେହ ଉଦ୍ଧାର
ସମ୍ବଲପୁର : (ସଂକେତ ଟିଭି) ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ସମାବର୍ତ୍ତନ ଉତ୍ସବକୁ ଡିଗ୍ରୀ ସାର୍ଟିଫିକେଟ ନେବାକୁ ଆସିଥିଲେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ପିସି ବ୍ରିଜ୍ରୁ ପାୱାର ଚ୍ୟାନେଲକୁ ଗତକାଲି ରାତିରେ ଡେଇଁ ପଡ଼ିଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏ ନେଇ ସମ୍ବଲପୁର ଥାନାରେ ପ୍ରଥମେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା।
ସୂଚନା ଅନୁସାରେ, ଭିସୁଟ ସମାବର୍ତ୍ତନ ଉତ୍ସବସ୍ଥଳୀରେ କୁଳପତିଙ୍କ ନିକଟରୁ ଚିନ୍ମୟୀ ମଧ୍ୟ ତାଙ୍କ ଡିଗ୍ରୀ ସାର୍ଟିଫିକେଟ ଗ୍ରହଣ କରିଥିଲେ। ସେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଛାତ୍ରୀ ଥିଲେ। ରାତି ୯ଟାରେ ଚିନ୍ମୟୀ ତାଙ୍କ ବନ୍ଧୁଙ୍କ ସହିତ ଏକ ବାଇକ ଓଡି୦୨ଟି-୭୦୧୮ ଯୋଗେ ବୁଲିବାକୁ ପିସି ବ୍ରିଜ୍ ଆଡକୁ ଆସିଥିଲେ। ରାତି ୯ଟା ପରେ ଉକ୍ତ ଯୁବକ କାନ୍ଦୁଥିବା ଦେଖି ତାଙ୍କୁ ପଚାରିବାରୁ ସେ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ।
ଖବର ପାଇ ସେମାନଙ୍କ ସାଙ୍ଗ ସାଥୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାସ ଓ ବୁର୍ଲା ଥାନାର କର୍ମଚାରୀମାନେ ମଧ୍ୟ ପହଞ୍ଚିଥିଲେ। ଚିନ୍ମୟୀଙ୍କ ସନ୍ଧାନ ନେବା ପାଇଁ ପୁଲିସ ପକ୍ଷରୁ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ।
ସୂଚନା ଅନୁଯାୟୀ ଉକ୍ତ ଯୁବତୀ ବଲାଙ୍ଗିର ଜିଲ୍ଲାର। ପୁଲିସ ଛାତ୍ରୀଙ୍କ ବନ୍ଧୁଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ଉକ୍ତ ଛାତ୍ରୀ ଜଣଙ୍କ କ୍ୟାମ୍ପସ ଚୟନ ହୋଇଥିବା ବେଳେ ତାଙ୍କ ବନ୍ଧୁଙ୍କୁ ସୁଯୋଗ ମିଳି ନ ଥିଲା। ତେବେ ଯୁବତୀ ଜଣଙ୍କ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇନି। ପୁଲିସ ଜବତ କରିଥିବା ବାଇକ୍ର ମାଲିକ ପ୍ରତ୍ୟୁଷ ରଞ୍ଜନ ବୋଲି ଜଣାପଡ଼ିଛି।
ତେବେ ଝିଅର ମୃତଦେହ ଉଦ୍ଧାର ହେବା ପରେ ତଣ୍ଟି ଚିପା ହୋଇଥିବା ଦାଗ ରହିଛି। ଏଥସହ ଶରୀରରେ ଆଞ୍ଚୁଡ଼ା ଦାଗ ଥିବା ତାଙ୍କ ମା ଅଭିଯୋଗ କରିଛନ୍ତି । ତେଣୁ ଝିଅ ମୃତ୍ୟୁ ପଛରେ ଜଣେ ଯୁବକଙ୍କ ହାତ ଥିବା ବେଳେ ତାଙ୍କ ସହ ଅନ୍ୟମାନେ ବି ସମ୍ପୃକ୍ତ ଥିବା ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି ।
ଏଥିସହ ସେ କହିଛନ୍ତି ‘ଝିଅ ସହ ଗତକାଲି ସନ୍ଧ୍ୟା ୬ଟାରେ କଥା ହୋଇଥିଲି। ଝିଅ ଗତ ରାତିରେ ସମ୍ବଲପୁରରୁ ଭୁବନେଶ୍ୱର ବାହାରିଥିବା ବେଳେ ରାତି ୯ଟାରେ ତା ବସ୍ ଟାଇମ୍ ଥିଲା। ରାତି ୯ଟା ୨୦ରେ ଫୋନ୍ କରିବାରୁ ଗଁ ଗଁ ଶୁଭିଥିଲା। ଅଲଗା ନମ୍ବରରେ ଲାଗି ଯାଇଥିବ ଭାବି ଫୋନ୍ କାଟିଦେଲି। ପୁଣି ଥରେ ଫୋନ୍ କରିବାରୁ ସମାନ ଶବ୍ଦ ଶୁଣିବାକୁ ପାଇଲି। ଏହାପରେ ଝିଅ ବ୍ରିଜରୁ ଡେଇଁଥିବା ଖବର ପାଇଲୁ।’
ଆତ୍ମହତ୍ୟା ଭିରୁଙ୍କ କାମ ବୋଲି ମୋ’ ଝିଅ ସବୁବେଳେ କହିଥାଏ। ତେଣୁ ସେ ଆତ୍ମହତ୍ୟା କରିନି, ତାକୁ ମାରି ଦିଆଯାଇଛି ବୋଲି ଚିନ୍ମୟୀଙ୍କ ବାପା ବି ସମାନ ଅଭିଯୋଗ କରିଛନ୍ତି।
ଚିନ୍ମୟୀଙ୍କ ମୃତ୍ୟୁ ଘଟଣାରେ ପୁଲିସ୍ କିର୍ତ୍ତିମାନ ନାମକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। କିର୍ତ୍ତିମାନ ଚିନ୍ମୟୀଙ୍କ ସହପାଠୀ ହୋଇଥିବା ବେଳେ ଭୁବନେଶ୍ୱରରେ ତାଙ୍କ ଘର। ଚିନ୍ମୟୀ ଭୁବନେଶ୍ୱରରେ ଚାକିରି କରୁଥିବା ବେଳେ ଭଡ଼ା ନେଇ ରହୁଥିଲେ। ସେଠାରେ ସେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବି ପ୍ରସ୍ତୁତ ହେଉଥିଲେ। ସେଠାରେ ତାଙ୍କ ନିକଟକୁ କିର୍ତ୍ତିମାନ ଯାଆସ କରୁଥିବା ତାଙ୍କ ଭଉଣୀ କହିଛନ୍ତି। ଏଥିସହ ମୋ’ ଭଉଣୀ ବେକରେ ଚେନ୍ ଥିବା ବେଳେ ତାହା ଆଉ ନାହିଁ । କେବଳ ସେତିକି ନୁହେଁ, ତଣ୍ଟି ଚିପା ଚିହ୍ନ ବି ରହିଛି ବୋଲି ତାଙ୍କ ସାନ ଭଉଣୀ କହିଛନ୍ତି।
ଚିନ୍ମୟୀ ଗତବର୍ଷ ଭିସୁଟରୁ ଆଇଟି ଟ୍ରେଡରେ ବିଟେକ୍ ପାସ୍ କରି ସାରିଥିବା ବେଳେ ଏବେ ଭୁବନେଶ୍ୱରରେ ଚାକିରି କରିଛନ୍ତି। ତାଙ୍କ ପିତା ଜଣେ ଡାକ୍ତର ହୋଇଥିବା ବେଳେ କଳାହାଣ୍ଡିରେ ଘର ବୋଲି ଜଣାଯାଇଛି। ଗତକାଲି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଚିନ୍ମୟୀ ସମ୍ବଲପୁର ଯାଇଥିବା ବେଳେ ରାତିରେ ଭୁବନେଶ୍ୱର ଫେରିଥାନ୍ତେ।