ଭାରତ ଯୋଡୋ ଯାତ୍ରା ସମୟରେ ଆତଙ୍କବାଦୀଙ୍କୁ ଦେଖିଥିବା କହିଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ : (ସଂକେତ ଟିଭି) କେମ୍ବ୍ରିଜ୍ ୟୁନିଭର୍ସିଟିରେ ସମ୍ବୋଧନକାଳରେ ରାହୁଲ ଗାନ୍ଧି କହିଛନ୍ତି ଯେ ତାଙ୍କର ଭାରତ ଯୋଡୋ ଯାତ୍ରା କାଳରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ଦେଖିଛନ୍ତି, ସେମାନେ ମଧ୍ୟ ତାଙ୍କୁ ଦେଖିଛନ୍ତି। ତେବେ ସେମାନେ କିଛି କରିନଥିଲେ ବୋଲି କହିଛନ୍ତି।
ସେ କହିଛନ୍ତି ଯେ ସୁରକ୍ଷା ଏଜେନ୍ସୀମାନେ ତାଙ୍କୁ ଜମ୍ମୁ-କାଶ୍ମୀରରେ ଯାତ୍ରା ନ କରିବାକୁ ପରାମର୍ଶ ଦେଇଥିଲେ। କାରଣ ସେଠାରେ ଆତଙ୍କବାଦୀ ଆକ୍ରମଣର ଅନେକ ସମ୍ଭାବନା ରହିଛି। ଏହା ସତ୍ୱେ ମଧ୍ୟ ଆମେ ସେଠାରେ ଯାତ୍ରା କରିଥିଲୁ। ତେବେ ଯାତ୍ରା ପୂର୍ବରୁ ମୁଁ ଲୋକଙ୍କ ସହ ଏ ବିଷୟରେ କଥା ହୋଇଥିଲି ଓ ଲୋକେ ଯାତ୍ରା କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଆମେ ଯାତ୍ରା ଆରମ୍ଭ କରିଥିଲୁ। ଯାତ୍ରା କାଳରେ ଜଣେ ଅଜଣା ବ୍ୟକ୍ତି ପାଖକୁ ଆସିଥିଲେ ଓ ପଚାରିଥିଲେ କଂଗ୍ରେସ ନେତା ଏଠାକୁ ଆମମାନଙ୍କ କଥା ଶୁଣିବାକୁ ଆସିଛନ୍ତି କି? ଏହି ସମୟରେ ସେ କିଛି ଲୋକଙ୍କ ଆଡକୁ ଇଶାରା କରିଥିଲେ, ଯେଉଁମାନେ ପାଖାପାଖି ଛିଡା ହୋଇଥିଲେ। ସେ ହିଁ କହିଲେ ଏହି ଲୋକମାନେ ଆତଙ୍କବାଦୀ।
ଏହା ପରେ ରାହୁଲ କହିଲେ ସେତେବେଳେ ମୋତେ ଲାଗିଲା ଆମେ ସମସ୍ୟା ମଧ୍ୟରେ ଫଶି ଯାଇଛୁ ଓ ଆତଙ୍କବାଦୀ ଆମ ଉପରେ ଆକ୍ରମଣ କରିପାରନ୍ତି। ତେବେ ସେମାନେ କିଛି କରିନଥିଲେ, କାରଣ ଏହା ଶୁଣିବାର ଶକ୍ତି ବୋଲି ରାହୁଲ କହିଛନ୍ତି।
ରାହୁଲ ଗାନ୍ଧି ଗତ ମଙ୍ଗଳବାର ବ୍ରିଟେନରେ ପହଞ୍ଚିଥିଲେ। ଏହି ଅବସରରେ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏଥିରେ ବ୍ରିଟେନରେ ବସବାସ କରୁଥିବା ମୂଳ ଭାରତୀୟଙ୍କ ସହ କଥା ହୋଇଥିଲେ।