ହୋଇପାରିଲା ନାହିଁ ଚଉଠି ରାତି, ପାଣିରେ ବୁଡ଼ି ପ୍ରାଣ ହରାଇଲେ ନବବିବାହିତ

ବାଲେଶ୍ହର : (ସଂକେତ ଟିଭି) ବୁଧବାର ଦିନ ଧୁମଧାମରେ ହୋଇଥିଲା ବାହାଘର , ଆଜି ଥିଲା ରିସେପ୍ସନ ଏବଂ ଚତୁର୍ଥୀ । ହେଲେ ଆଜି ସକାଳୁ ପୋଖରୀରେ ମିଳିଲା ନବବିବାହିତଙ୍କ ମୃତ ଦେହ । ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ଖଡୁପାହି ଗ୍ରାମରେ ଏଭଳି ଘଟଣା ଘଟିଛି । ମୃତ ଯୁବକ ହେଲେ ଖଡୁପାହି ଗାଁର ଅଜୟ ଭଞ୍ଜ ।

ଗତ ୧ତାରିଖରେ ଖଡୁପାହି ଗାଁର ଶିଶିର କୁମାର ଭଞ୍ଜଙ୍କ ସାନପୁଅ ଅଜୟ ଭଞ୍ଜଙ୍କର ଗୁଡପାହି ଗାଁର ଚାନ୍ଦିନୀଙ୍କ ସହ ବୈଦିକ ରୀତିରେ ବଳରାମ ଗଡି ରାଧାକୃଷ୍ଣ ମନ୍ଦିରରେ ବାହାଘର ହୋଇଥିଲା। ଆଜି ଅଜୟ ଓ ଚାନ୍ଦିନୀଙ୍କର ଭୋଜି ବା ଚତୁର୍ଥୀ ଥିଲା । ଅଜୟ ଆଜି ସକାଳୁ ଶୌଚ ପାଇଁ ଗାଁ ପୋଖରୀକୁ ଯାଇ ଆଉ ଫେରି ନଥିଲେ । ଗାଁ ଲୋକେ ଚନ୍ଦନ ପୋଖରୀରେ ଭାସୁଥିବାର ଦେଖିଥିଲେ । ତାଙ୍କୁ ଉଦ୍ଧାର କରି ତୁରନ୍ତ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ଅଜୟଙ୍କୁ ମୃତ ଘୋଷଣା କରିଥିଲେ ।