ମୋଦିଙ୍କ ନାମ ନେଇ ଭୋଟ ମାଗିଲେ ବିଜେପି ନେତାଙ୍କୁ ଚପଲରେ ପିଟ : ଶ୍ରୀରାମ ସେନା ମୁଖ୍ୟ
ବେଙ୍ଗାଲୁରୁ : (ସଂକେତ ଟିଭି) ନିର୍ବାଚନ ସମୟରେ ରାଜ୍ୟର ବିଜେପି ନେତା ଯଦି ମୋଦିଙ୍କ ନାମ ବ୍ୟବହାର କରି ଭୋଟ ମାଗନ୍ତି ତେବେ ସେମାନଙ୍କୁ ଚପଲରେ ପିଟିବା ଉଚିତ । ଏହା କହିଛନ୍ତି କର୍ଣ୍ଣାଟକର ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେଠୁ ରାଜନୀତି ଜୋର ଧରିବା ଆରମ୍ଭ କରିଛି । କର୍ଣ୍ଣାଟକର ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ ବିଜେପିକୁ ଟାର୍ଗେଟ କରି ଶାଣିତ ସ୍ବରରେ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ବିଜେପି ଭୋଟ ମାଗୁଥିବା ପ୍ରମୋଦ ମୁଥାଲିକ କହିଛନ୍ତି । ସେ କହିଛନ୍ତି ନିର୍ବାଚନ ସମୟରେ ରାଜ୍ୟର ବିଜେପି ନେତା ଯଦି ମୋଦିଙ୍କ ନାମ ବ୍ୟବହାର କରି ଭୋଟ ମାଗନ୍ତି ତେବେ ସେମାନଙ୍କୁ ଚପଲରେ ପିଟିବା ଉଚିତ ।
ସେ କହିଛନ୍ତି ଏହି ଅପଦାର୍ଥ ଲୋକମାନେ କେବଳ ମୋଦିଙ୍କ ନାମ ନେଇ ଜାଣିଛନ୍ତି । ମାତ୍ର ନିଜ କର୍ମକର୍ତ୍ତାଙ୍କ ସମସ୍ୟା ବୁଝି ପାରୁନାହାନ୍ତି । ତେଣୁ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କିମ୍ବା ନାମ ବ୍ୟବହାର ନକରି ଭୋଟ ମାଗିବାକୁ ବିଜେପି ନେତାଙ୍କୁ ଆହ୍ବାନ ଦେଇଛନ୍ତି ।
ଏଥର ବିଧାନସଭା ନିର୍ବାଚନରେ ମୋଦିଙ୍କ ନାମ ବ୍ୟବହାର କରନାହିଁ । କୌଣସି ପାମ୍ପଲେଟ ଏବଂ ବ୍ୟାନରରେ ମୋଦିଙ୍କ ଫଟୋ ରଖନ୍ତୁ ନାହିଁ । ଭୋଟରଙ୍କୁ ଯାଇ କୁହନ୍ତୁ ମୁଁ ଅଞ୍ଚଳର ବିକାଶ କରିବି । ଗୋବଂଶର ସୁରକ୍ଷା କରିବା ସହ ହିନ୍ଦୁତ୍ବ ପାଇଁ କାମ କରିଛି । ଛାତି ବାଡେଇ ଗର୍ବର ସହ କୁହନ୍ତୁ ଆମେ ଏହି କାମ କରିଛୁ । କିନ୍ତୁ ସେ ତାହା କରିବେ ନାହିଁ । ସେ ପୁଣି ଆପଣଙ୍କ ଘରକୁ ଆସିବେ ଏବଂ କହିବେ ଦୟାକରି ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଦିଅନ୍ତୁ । ଯଦି ଭୋଟ ମାଗିବା ସମୟରେ ସେମାନେ ମୋଦିଙ୍କ ନାମ ନିଅନ୍ତି ସେମାନଙ୍କୁ ଚପଲରେ ମାରନ୍ତୁ ।
ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ ଗତ ଜାନୁଆରୀ ୨୩ ତାରିଖରେ ସ୍ବାଧୀନତା ପ୍ରାର୍ଥୀ ଭାବେ କରକଲା ବିଧାନସଭାରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ । ଆସନ୍ତା ମେ ମାସରେ କର୍ଣ୍ଣାଟକ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ୨୨୪ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ।