ମନିଷ ସିସୋଦିଆଙ୍କ ସିବିଆଇ ରିମାଣ୍ଡ ଆଉ ୨ ଦିନ ବଢାଇଲେ କୋର୍ଟ
ନୂଆଦିଲ୍ଲୀ : (ସଂକେତ ଟିଭି) ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଗିରଫ ହୋଇଥିବା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ କୋର୍ଟ ଆଉ ଦୁଇ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇ ଦେଇଛନ୍ତି। ଜାମିନ ନିବେଦନର ଶୁଣାଣି ଲାଗି ଶନିବାର ସିବିଆଇ ସିସୋଦିଆଙ୍କୁ କୋର୍ଟରେ ହାଜର କରିଥିଲା। ତେବେ ରାଉଜ ଏଭେନ୍ୟୁ କୋର୍ଟ ସିସୋଦିଆଙ୍କୁ ଦୁଇ ଦିନିଆ ସିବିଆଇ ରିମାଣ୍ଡରେ ପଠାଇ ଦେଇଛନ୍ତି। ସିବିଆଇ କୋର୍ଟଙ୍କୁ ଅଧିକ ୩ ଦିନ ରିମାଣ୍ଡ ଦେବାକୁ ନିବେଦନ କରିଥିଲା। ସେପଟେ କୋର୍ଟ ସିସୋଦିଆଙ୍କ ଜାମିନ ନିବେଦନ ଶୁଣାଣିକୁ ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି।
ସିବିଆଇ କୋର୍ଟରେ ସିସୋଦିଆଙ୍କ ରିମାଣ୍ଡ ନିବେଦନ କରି କହିଥିଲା ରଦ୍ଦ ହୋଇଯାଇଥିବା ଅବକାରୀ ନୀତିର କିଛି ଫାଇଲ ଏବେବି ଗାୟବ ଅଛି। ଏ ସବୁକୁ ଜବତ କରିବା ପାଇଁ ପୂର୍ବ ଉପମୁଖ୍ୟମନ୍ତ୍ରୀଙ୍କୁ ପଚରା ଉଚରା କରିବା ସହ ଅନ୍ୟ ଅଭିଯୁକ୍ତଙ୍କ ସହ ତାଙ୍କୁ ସାମ୍ନା ସାମ୍ନି ପଚରା ଉଚରା କରିଯିବା ଦରକାର। ଏଥିଲାଗି ସିବିଆଇ ୩ ଦିନ ରିମାଣ୍ଡ ନିବେଦନ କରିଥିଲା। ସିବିଆଇର ରିମାଣ୍ଡ ନିବେଦନରେ କୋର୍ଟ ସିସୋଦିଆଙ୍କ ଜାମିନ ନିବେଦନ ଶୁଣାଣି ଉପରେ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି।
ସୂଚନା ଅନୁସାରେ ସିବିଆଇ ଗିରଫଦାରୀର ଦିନକ ପରେ ସିସୋଦିଆ ତାଙ୍କ ପଦରୁ ଇସ୍ତଫା ଦେଇଦେଇଥିଲେ। ଏହା ଛଡା ଜେଲରେ ଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ତାଙ୍କପଦରୁ ଇସ୍ତଫା ଦେଇଥିଲେ। ସିବିଆଇ ରିମାଣ୍ଡ ପେପରରେ ଦିଲ୍ଲୀ ଅବକାରୀ ନୀତି ଅନିୟମିତତାରେ ସିସୋଦିଆଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ଦର୍ଶାଇଛି। ଏହି ମାମଲାରେ ସିବିଆଇ ପୂର୍ବରୁ ୭ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିସାରିଛି। ଏହି ମାମଲାରେ ଯାଞ୍ଚ ଏଜେନ୍ସୀ ଏବେ ଏକ ସପ୍ଲିମିଣ୍ଟାରୀ ଚାର୍ଜସିଟ୍ ଦାଖଲ ନିମନ୍ତେ ପ୍ରସ୍ତୁତି କରୁଛି।