ମାତ୍ର ଦିନକରେ ସମାପ୍ତ ହୋଇଥାନ୍ତା ରୁଷ-ୟୁକ୍ରେନ ଯୁଦ୍ଧ : ଟ୍ରମ୍ପ
ୱାସିଂଟନ : (ସଂକେତ ଟିଭି) ଋଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ବଡ଼ ବୟାନ ଆସିଛି । ସେ କହିଛନ୍ତି ଯେ ଏହି ବିନାଶକାରୀ ଯୁଦ୍ଧକୁ ଦିନକରେ ଶେଷ କରିଦେଇଥାନ୍ତେ । ଟ୍ରମ୍ପ ‘କଞ୍ଜରଭେଟିଭ ପଲିଟିକାଲ ଆକ୍ସନ କନଫରେନସ୍’(ସିପିଇସି)କୁ ସମ୍ବୋଧିତ କରି ଏହା କହିଥିବା ବେଳେ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଲଢିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ସେତାଙ୍କ ରିପବ୍ଲିକାନ ପାର୍ଟିର ପ୍ରଭୁତ୍ୱକୁ ପୁଣି ଥରେ କାୟମ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
ଗାର୍ଡିଆନ ରିପୋର୍ଟ ଅନୁସାରେ ଟ୍ରମ୍ପ ପୁରା ୧୦୦ ମିନିଟର ଭାଷଣ ଦେଇଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ସମାପ୍ତ ହୋଇ ପାରିନଥିବାରୁ ଉଦବେଗ ପ୍ରକାଶକରିଛନ୍ତି । ଏହି ଯୁଦ୍ଧ ସମୟରେ ସମାପ୍ତ ହୋଇନଥିବାରୁ ତୃତୀୟ ବିଶ୍ୱଯୁଦ୍ଧ ନେଇ ମଧ୍ୟ ଆଶଙ୍କା କରିଛନ୍ତି । ତେବେ ସେ ଏପରି ହେବାକୁ ଦେବେ ନାହିଁ ବୋଲି ଦୃଢ ଦାବି କରିଛନ୍ତି ।
ଟ୍ରମ୍ପ କହିଛନ୍ତି ଯେ ଏହି ଯୁଦ୍ଧର ସମାଧାନ ନିମନ୍ତେ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଭଲରେ ଭେଟିଥାନ୍ତେ ଓ ପୁଟିନ ନିଶ୍ଚିତ ତାଙ୍କର କଥା ଶୁଣିଥାନ୍ତେ । ସେହିପରି ଆଗାମୀ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ନିଜର ବକ୍ତବ୍ୟ ଦେଇ ଟ୍ରମ୍ପ କହିଛନ୍ତି ଯେ ତାଙ୍କ ବିରୋଧରେ ମୋକଦ୍ଦମା ହେଲେ ବି ସେ ରାଷ୍ଟ୍ରପତି ପଦବୀ ନିମନ୍ତେ ପ୍ରାର୍ଥୀ ହେବା ପାଇଁ ତାଙ୍କର ପ୍ରଚାର ଅଭିଯାନ ଜାରି ରଖିବେ । ସେ ପଛକୁ ହଟିବା ପାଇଁ ଚିନ୍ତା ମଧ୍ୟ କରି ନାହାନ୍ତି । ୨୦୨୦ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଫଳାଫଳ ହେରଫେର ଉଦ୍ୟମ ନେଇ ତାଙ୍କ ବିରୋଧରେ ଯାଞ୍ଚ ଜାରି ରହିଛି । ଏହା ଛଡା ନିଜପାଖରେ ଗୋପନୀୟ ଦସ୍ତାବେଜ ରଖିବା ମାମଲାରେ ମଧ୍ୟ ତାଙ୍କ ବିରୋଧରେ ଯାଞ୍ଚ କରାଯାଉଛି ।
ସେ କହିଛନ୍ତି ଯେ ମୁଁ ଯାହା ଆରମ୍ଭ କରିଥିଲି ତାକୁ ଏବେ ଶେଷ କରିବାକୁ ଯାଉଛି, ମୁଁ ମୋର ମିସନ ପୁରା କରିବାକୁ ଯାଉଛି, ଏହି ଲଢେଇର ଅନ୍ତ ଜିତ ସହିତ ଦେଖିବାକୁ ଯାଉଛି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନରୁ ଆମେରିକାର ଅସଫଳ ପ୍ରତ୍ୟାହାର କାରଣରୁ ୟୁକ୍ରେନ ଉପରେ ଆକ୍ରମଣ ଲାଗି ଋଷିଆ ସାହାସ ପାଇଛି । ଯଦି ତୁରନ୍ତ ପଦକ୍ଷେପ ନିଆନଯାଏ ତେବେ ତୃତୀୟ ବିଶ୍ୱଯୁଦ୍ଧ ହେବା କିଛି ଅସମ୍ଭବ ନୁହେଁ । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁଁ ଜଣେମାତ୍ର ପ୍ରାର୍ଥୀ ଯିଏ ତୃତୀୟ ବିଶ୍ୱଯୁଦ୍ଧକୁ ରୋକିଦେବ ବୋଲି ଦାବି କରିପାରେ ବୋଲି କହିଛନ୍ତି । ଭାଷଣରେ ଟ୍ରମ୍ପ ବାଇଡେନ ପ୍ରଶାସନର ନୀତିଗୁଡିକୁ ସମାଲୋଚନା କରିବା ସହ ଏହା ଆମ ଦେଶ ଲାଗି ଇତିହାସର ଏହା ସବୁଠୁ ବିପଦଜନକ ସମୟ ବୋଲି କହିଛନ୍ତି ।