୬ଦିନର ମୃତ ଶିଶୁକନ୍ୟା ପୋଖରୀରୁ ଉଦ୍ଧାର, ବାପା, ମାଆଙ୍କ ସମେତ ୫ ଅଟକ

ବାଲେଶ୍ବର : (ସଂକେତ ଟିଭି) ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ସିଆଁରୁଇ ଗାଁରେ ପୋଖରୀରୁ ୬ ଦିନର ମୃତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଖବର ପାଇ କମର୍ଦ୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଜ ଆଡୁ ମାମଲା ରୁଜୁ କରି ମୃତ ଶିଶୁକନ୍ୟାର ବାପା, ମାଆ ସମେତ ୫ ଜଣଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି।

ସୂଚନା ଅନୁସାରେ, ସିଆଁରୁଇ ଗାଁର ଦମ୍ପତି ବଳରାମ ପାତ୍ର (୩୧) ଓ ବନ୍ଦନା ପାତ୍ର (୨୬) ଙ୍କ ଏକ ୩ ବର୍ଷର ଶିଶୁକନ୍ୟା ରହିଥିଲା ବେଳେ ୬ ଦିନ ପୂର୍ବେ ଅନ୍ୟ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ରବିବାର ରାତିରେ ପରିବାରର ସମସ୍ତେ ସେହି ଗାଁର ଏକ ବିବାହ ଭୋଜିକୁ ଯାଇଥିଲା ବେଳେ ବନ୍ଦନା ନିଜ ୬ ଦିନର ଶିଶୁକନ୍ୟାକୁ ନେଇ ଘରେ ଥିଲେ। ବିବାହ ଭୋଜି ଖାଇ ପରିବାରର ସମସ୍ତ ସଦସ୍ୟ ଘରେ ପହଞ୍ଚିବା ପରେ ବନ୍ଦନାଙ୍କ ପାଖରେ ତାଙ୍କ ଶିଶୁକନ୍ୟାକୁ ଦେଖିବାକୁ ପାଇ ନ ଥିଲେ। ଶିଶୁକନ୍ୟା ସମ୍ପର୍କରେ ପଚାରିବାରୁ ବନ୍ଦନା କୌଣସି ଉତ୍ତର ଦେଇନଥିଲେ। ପଶ୍ଚିମବଙ୍ଗର ସାହାଡ଼ା ଗାଁରେ ରହୁଥିବା ବନ୍ଦନାଙ୍କ ବାପାଙ୍କୁ ପରିବାର ଲୋକେ ଖବର ଦେଇଥିଲେ। ବନ୍ଦନାଙ୍କ ବାପା ସେଠାରେ ପହଞ୍ଚି ପଚରାଉଚୁରା କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଅନ୍ୟପକ୍ଷରେ ସେହି ରାତିରେ ବନ୍ଦନା ତାର ବାପାଙ୍କ ସହିତ ତାଙ୍କ ଘରକୁ ଚାଲିଯାଇଥିଲେ।

ସୋମବାର ପୂର୍ବାହ୍ନ ସମୟରେ ବଳରାମଙ୍କ ଘର ଠାରୁ କିଛି ଦୂରରେ ଥିବା ସ୍ବର୍ଗତ ଗଣପତି ଜେନାଙ୍କ କଣ୍ଟାବୁଦା ଘେରା ଏକ ପୋଖରୀରେ ଶିଶୁକନ୍ୟା ଭାସୁଥିବା ଦେଖିବାକୁ ମିଳିଥିଲା। ଶିଶୁକନ୍ୟାଟିକୁ ପାଣିରୁ ଉଦ୍ଧାର କରିଥିଲା ବେଳେ ସେତେବେଳକୁ ତାର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ କମର୍ଦ୍ଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।