ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କୋନରାଡ ସାଙ୍ଗମା
ସିଲଂ : (ସଂକେତ ଟିଭି) ମେଘାଳୟର ମୁଖ୍ୟମନ୍ତ୍ରୀ ଭାବରେ ନ୍ୟାସନାଲ ପିପୁଲ୍ସ ପାର୍ଟି ମୁଖ୍ୟ କନରାଡ୍ କେ ସାଙ୍ଗମା ଶପଥ ଗ୍ରହଣ କରିଛନ୍ତି। ମଙ୍ଗଳବାର ସିଲଂର ରାଜଭବନରେ ସେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ସାଙ୍ଗମାଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ଭାବେ ଏହା ତାଙ୍କର କ୍ରମାଗତ ଦ୍ବିତୀୟ କାର୍ଯ୍ୟକାଳ ହୋଇଥିବା ବେଳେ ପ୍ରେଷ୍ଟୋନ୍ ଟିନସୋଙ୍ଗ ଏବଂ ସ୍ନାଇଭାଲାଙ୍ଗ ଧର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏନପିପି ନେତୃତ୍ବାଧୀନ ମେଘାଳୟ ସରକାରରେ ଆବୁ ତାହିର ମଣ୍ଡଳ କିରମେନ ଶୈଲ୍ଲା ଶାକଲିଆର ୱାରଜରି ମାର୍କ୍ୟୁସ ଏନ ମାରାକ ଏବଂ ରକ୍କାମ ଏ ସଙ୍ଗମା ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ।
ପିପୁଲ୍ସ ଡେମୋକ୍ରାଟିକ ଫଣ୍ଟ ପିଡିଏଫ ଏବଂ ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି ୟୁଡିପି କୋନରାଡ ସାଙ୍ଗମାଙ୍କୁ ସମର୍ଥନ କରିଥିଲେ । ସାଙ୍ଗମାଙ୍କୁ ମୋଟ 45 ବିଧାୟକଙ୍କ ସମର୍ଥନ ରହିଥିଲା । ମେଘାଳୟରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ୟୁଡିପି 11ଟି ଆସନ ଜିତିଥିବା ବେଳେ ପିଡିଏଫ ଓ ବିଜେପି 2ଟି ଲେଖାଏଁ ଆସନ ଜିତିଥିଲା । ଏଚଏସପିଡିଜିର 2 ବିଧାୟକଙ୍କ ଦୁଇ ସ୍ବାଧୀନ ବିଧାୟକ ସାଙ୍ଗମାଙ୍କୁ ସମର୍ଥନ କରିଥିଲେ । ଏନପିପି 26ଟି ଆସନରେ ବିଜୟୀ ହୋଇଥିଲା । ଫଳରେ ଦ୍ବିତୀୟ ଥର ପାଇଁ ମେଘାଳୟରେ ସରକାର ଗଠନ କରିଛନ୍ତି କୋନରାଡ ସାଙ୍ଗମା ।
ମେଘାଳୟ ଶାସନ କ୍ଷମତା ଦଖଲ ପାଇଁ 31ଟି ଆସନ ଦରକାର ଥିଲା । ମାତ୍ର ଏହି ସଂଖ୍ୟା କୌଣସି ଦଳ ହାସଲ କରି ନଥିଲେ । ମେଘାଳୟବାସୀ କାହାକୁ ପୂର୍ଣ୍ଣ ସମର୍ଥନ କରି ନଥିଲେ । ଏନପିପି ଅଧିକ ଆସନ ଜିତିଥିଲେ ସୁଦ୍ଧା ତାହା ସରକାର ଗଠନ କରିବାକୁ ଯଥେଷ୍ଟ ନଥିଲା । କୋନରାଜ ସାଙ୍ଗମାଙ୍କୁ ୟୁଡିପି ଓ ପିଡିଏଫ ସମର୍ଥନ ମିଳିବା ପରେ ରାଜ୍ୟରେ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିଛନ୍ତି ସାଙ୍ଗମା ।