ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେସିଆର୍‌ ଙ୍କ ଝିଅଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ : (ସଂକେତ ଟିଭି) ଦିଲ୍ଲୀ ଅବକାରୀ ନୀତି ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ‘ଏମ୍‌.ଏଲ୍‌.ସି.’ କେ. କବିତାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗୁରୁବାର ଦିନ ପୁଣି ଜେରା କରିବ।

ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ପିଲ୍ଲାଇଙ୍କୁ ଗିରଫ କରାଯିବା ପରେ କବିତାଙ୍କୁ ପୁଣି ଜେରା କରାଯିବା ପାଇଁ ଆସନ୍ତାକାଲିକୁ ସ୍ଥିର କରାଯାଇଛି। ଅରୁଣ ପିଲ୍ଲାଇଙ୍କ ରିମାଣ୍ଡ୍‌ ରିପୋର୍ଟରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କହିଛି ଯେ, ଦିଲ୍ଲୀ ମଦ ମାମଲରେ ସେ (ଅରୁଣ) ହେଉଛନ୍ତି କବିତାଙ୍କ ବେନାମୀ। ‘ଆପ୍‌’କୁ ୧୦୦ କୋଟି ଟଙ୍କା ପ୍ରଦାନ କରିଥିବା ଦକ୍ଷିଣ ଗ୍ରୁପ୍‌ର (ସାଉଥ୍‌ କାର୍ଟେଲ୍‌) ଅଂଶବିଶେଷ ଭାବେ କବିତାଙ୍କ ନାମ ଏହି ମାମଲାରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ‘ସିବିଆଇ’ ମଧ୍ୟ ହାଇଦ୍ରାବାଦରେ ତାଙ୍କୁ ୭ ଘଣ୍ଟାରୁ ଅଧିକ କାଳ ଜେରା କରିଥିଲା।

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ‘ଆପ୍’ ନେତା ମନୀଷ ସିସୋଦିଆଙ୍କୁ ଏହି ମାମଲାରେ ‘ସିବିଆଇ’ ଗିରଫ କରାଯିବା ପରେ ପୁଣି ‘ଭାରତ ରାଷ୍ଟ୍ର ସମିତି’ର ନେତ୍ରୀ କେ. କବିତାଙ୍କୁ ସମନ୍‌ ଜାରି କରାଯାଇଛି।

ମଦ ନୀତିରେ ସଂଶୋଧନ କରାଯିବା ବେଳେ ‘ସାଉଥ୍‌ କାର୍ଟେଲ୍‌ ଲବି’ଠାରୁ ଲାଞ୍ଚ ଗ୍ରହଣ କରାଯାଇ କେତେଗୁଡ଼ିଏ ଅନୀୟମିତା କରାଯାଇଥିବା କଥା ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଓ ‘ସିବିଆଇ’ ଅଭିଯୋଗ କରିଛନ୍ତି।

‘ସାଉଥ୍‌ କାର୍ଟେଲ୍‌’ରେ ଅଛନ୍ତି, କେ. କବିତା, ଆନ୍ଧ୍ରପ୍ରଦେଶର ଶାସକ ‘ୱାଇଏସ୍‌ଆର୍‌ କଂଗ୍ରେସ’ର ଅନ୍ୟତମ ସାଂସଦ ମଙ୍ଗୁତା ଶ୍ରୀନିବାସ ରେଡ୍ଡୀ ଏବଂ ‘ଅରବିନ୍ଦ ଫାର୍ମା’ର ଶରତ ରେଡ୍ଡୀ।