ଦ୍ବିତୀୟ ସ୍ତ୍ରୀକୁ ଏସିଡ୍ ମାଡ଼ ଘଟଣାରେ ସ୍ବାମୀକୁ ଗିରଫ କଲା ପୋଲିସ
ବାଲେଶ୍ବର : (ସଂକେତ ଟିଭି) ଦ୍ବିତୀୟ ସ୍ତ୍ରୀକୁ ଏସିଡ୍ ମାଡ଼ ଘଟଣାରେ ଆଜି ପୋଲିସ ମୁଖ୍ୟ ଅଭିଯୁକ୍ତ ଚନ୍ଦନ କୁମାର ରଣାକୁ ଗିରଫ କରିଛି । ଏହା ସହିତ ଚନ୍ଦନଙ୍କ ପ୍ରଥମ ସ୍ତ୍ରୀ ଓ ଏସିଡ୍ ବିକ୍ରେତାଙ୍କ ସମେତ ଏହି ଘଟଣାରେ ମୋଟ ଆଠ ଜଣଙ୍କୁ ଗିରଫ କରିଛି ।
ସହଦେବଖୁଣ୍ଟା ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ସାଗରିକା ନାଥ କହିଛନ୍ତି ଯେ ଅଭିଯୁକ୍ତ ଚନ୍ଦନକୁ ଧରିବା ପାଇଁ ପୋଲିସର ପାଞ୍ଚଟି ଟିମ୍ ଗଠନ ହୋଇଥିବା ବେଳେ ତିନୋଟି ଟିମ୍ ବିଭିନ୍ନ ରାଜ୍ୟକୁ ଯାଇଥିଲା। କୋଲକାତା, ମହାରାଷ୍ଟ୍ର ଓ ତାମିଲନାଡୁ ପୋଲିସର ସହଯୋଗରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନକୁ ଗିରଫ କରାଯାଇଛି।
ଚନ୍ଦନ ପ୍ରଥମ ସ୍ତ୍ରୀ ସହିତ ରହିବାକୁ ଚାହୁଁନଥିଲା। ଦ୍ବିତୀୟ ସ୍ତ୍ରୀ ବନିତାଙ୍କ ସହିତ ରହିବାକୁ ଚାହୁଁଥିଲା। ହେଲେ ବନିତା ଏଥିରେ ରାଜି ନହେବାରୁ ସେ ଏଭଳି ପଦକ୍ଷେପ ଘଟାଇବାକୁ ଯୋଜନା କରିଥିଲା। ସେଦିନ ପୂର୍ବ ଯୋଜନା ମୁତାବକ ଚନ୍ଦନ ଏସିଡ୍ ଯାହା ପାଖରୁ କିଣିଥିଲା ତାକୁ ସାଙ୍ଗରେ ଧରି ବନିତାଙ୍କ ଘରକୁ ଯାଇଥିଲା। ଏହା ସହିତ ପେଟ୍ରୋଲ ଓ ମାଚିସ୍ କିଣି ସାଙ୍ଗରେ ନେଇଥିଲା। ଗତ ୨୦ରେ ବନିତା ଏବଂ ତାଙ୍କର ବଡ଼ଭଉଣୀ ବର୍ଷା ତଥା ବଡ ଭଉଣୀଙ୍କ ପୁଅ ଓ ଝିଅଙ୍କ ଉପରେ ଏସିଡ୍ ମାଡ଼ କରିବା ପରେ ଚନ୍ଦନ ମୋବାଇଲ୍ ଫୋନ୍କୁ ଭାଙ୍ଗି ନଷ୍ଟ କରିଥିଲା। ଏହା ପରେ ଜଳେଶ୍ବରକୁ ପଳାଇଯାଇଥିଲା। ସେଠାରୁ ଅନ୍ୟ ରାଜ୍ୟକୁ ଫେରାର ହୋଇଯାଇଥିଲା ବୋଲି ଏସପି ସୂଚନା ଦେଇଛନ୍ତି ।
ସେପଟେ ଏହି ଏସିଡ ମାଡ ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଵାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ବନିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଜୀବନ ମରଣ ସହ ସଂଘର୍ଷ ପରେ ଏସସିବିରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ବନିତା ସିଂଙ୍କ ମୃତ୍ୟୁ ଘଟିଥିଲା ।