ପ୍ରତି ୪ମିନିଟ୍‌ରେ ବ୍ରେନ୍ ଷ୍ଟ୍ରୋକ୍ ନେଉଛି ଜଣଙ୍କ ଜୀବନ

ନୂଆଦିଲ୍ଲୀ : (ସଂକେତ ଟିଭି) ଦେଶରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହେଉଥିବା ବେଳେ ପ୍ରତି ୪ମି. ରେ ଜଣେ ପ୍ରାଣ ହରାଉଥିବା ସୂଚନା ମିଳିଛି । ଦେଶର ହେଉଥିବା ମୃତ୍ୟୁର ଦ୍ୱିତୀୟ ସବୁଠୁ ବଡ କାରଣ ହେଉଛି ବ୍ରେନ୍ ଷ୍ଟ୍ରୋକ୍ । ଏ ନେଇ ତଥ୍ୟ ଦେଇଛନ୍ତି ଦିଲ୍ଲୀ ଏମ୍ସର ସ୍ନାୟୁ ବିଭାଗ ପ୍ରଫେସର ଡା. ଏମ୍‌ଭି ପଦ୍ମା ଶ୍ରୀବାସ୍ତବ ।

ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ତଥ୍ୟ ପ୍ରଦାନ କରିଛନ୍ତି । ବ୍ରେନ୍ ଷ୍ଟ୍ରୋକ୍‌ର ଚିକିତ୍ସା ଏବଂ ଭାରତର ଗରୀବ ଅଞ୍ଚଳରେ ଏହାର ଚିକିତ୍ସା ପାଇଁ ସାଧନର ଅଭାବ ରହିଛି ବୋଲି ସେ କହିଥିଲେ ।

ସେ କହିଥିଲେ ଭାରତରେ ପ୍ରତିବର୍ଷ ୧.୮୫ଲକ୍ଷ ବ୍ରେନ୍ ଷ୍ଟ୍ରୋକ୍ ମାମଲା ସାମ୍ନାକୁ ଆସୁଛି । ପ୍ରତି ୪୦ସେକେଣ୍ଡରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହେବା ସହ ୪ମି. ଜଣଙ୍କର ମୃତ୍ୟୁ ଘଟିଛି । ଗ୍ଲୋବାଲ ବର୍ଡନ ଅଫ୍ ଡିଜିଜ୍ ଅନୁଯାୟୀ ଭାରତରେ ଷ୍ଟ୍ରୋକ୍‌ର ୬୮.୬ ପ୍ରତିଶତ ଘଟଣା ମଧ୍ୟରେ ବ୍ରେନ୍ ଷ୍ଟ୍ରୋକ୍ ଆଶଙ୍କା ଅଧିକ ରହିଛି । ୭୦.୯ ପ୍ରତିଶତ ଷ୍ଟ୍ରୋକ୍‌ରେ ମୃତ୍ୟୁ ଘଟୁଥିବା ବେଳେ ୭୭.୭ ପ୍ରତିଶତ ଷ୍ଟ୍ରୋକ୍‌ରେ ବିକଳାଙ୍ଗ ହେବା ଦେଖାଯାଉଛି ।

ଜିବିଡି ୨୦୧୦ ଷ୍ଟ୍ରୋକ୍‌ ପ୍ରୋଜକ୍ଟେ ଅନୁଯାୟୀ ୫୨ଲକ୍ଷ ଷ୍ଟ୍ରୋକ୍‌ ୧୦ବର୍ଷରୁ କମ୍ ବର୍ଷର ପିଲାଙ୍କୁ ହୋଇଥାଏ । ଭାରତରେ ଏହି ବିପଦ ଅଧିକ ଯୁବକ ଏବଂ ମଧ୍ୟମବର୍ଗଙ୍କ ଠାରେ ଦେଖାଦେଇଥାଏ । ଏହାପରେ ବି ଦେଶର ବିଭିନ୍ନ ଦୂରଦୂରାନ୍ତ ଓ ଉପାନ୍ତ ଅଞ୍ଚଳରେ ଏହି ଚିକିତ୍ସା ନିମନ୍ତେ ପର୍ଯ୍ୟାପ୍ତ ସୁବିଧା ନାହିଁ । ବିଶେଷ କରି ସରକାରୀ ହସ୍ପିଟାଲ ଗୁଡିକରେ ଷ୍ଟ୍ରୋକ୍ ସେବାରେ ଅନେକ ଅଭାବ ରହିଛି ।

ସେହିପରି ଦୂରଦୂରାନ୍ତ ଅଞ୍ଚଳରେ ଏହି ଚିକିତ୍ସା ପାଇଁ ଟେଲି ମେଡିସିନ୍ ବ୍ୟବହାର କରାଯାଇପାରିବ ବୋଲି ସେ କହିଥିଲେ । ଫଳରେ ଦେଶର ଦୁର୍ଗମ ଅଞ୍ଚଳରେ ଗରୀବ ଲୋକ ମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇ ପାରିବ ।