ବରିଷ୍ଠ ଆଇପିଏସ ଅଫିସର୍‌ ଜ୍ୟୋତି ଯାଦବଙ୍କୁ ବାହା ହେବେ ପଞ୍ଜାବର ଶିକ୍ଷାମନ୍ତ୍ରୀ

ଚଣ୍ଡୀଗଡ଼ : (ସଂକେତ ଟିଭି) ‘ଆପ୍‌’ ବିଧାୟକ ତଥା ପଞ୍ଜାବର ଶିକ୍ଷାମନ୍ତ୍ରୀ ହର୍‌ଜୋତ୍‌ ସିଂହ ବୈଂସ୍‌ ‘ଆଇପିଏସ୍‌’ ଅଫିସର୍‌ ଜ୍ୟୋତି ଯାଦବଙ୍କୁ ବିବାହ କରିବେ। ଚଳିତ ମାସ ଶେଷ ଆଡକୁ ଉଭୟଙ୍କ ବାହାଘର ହେବ । ଅଳ୍ପ ଦିନ ତଳେ ଦୁହଁଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି ବୋଲି ସେମାନେ କହିଛନ୍ତି।

ରୂପନଗର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ସାହିବ ନିର୍ବାଚନ ମଣ୍ଡଳୀରୁ ପ୍ରଥମ କରି ବିଧାୟକ ହୋଇଥିବା ୩୨ ବର୍ଷିୟ ବୈଂସ୍‌ ବୃତ୍ତିରେ ଆଡ୍‌ଭୋକେଟ୍‌ । ସେ ଆନନ୍ଦପୁର ସାହିବ ଅନ୍ତର୍ଗତ ଗମ୍ଭୀରପୁର ଗ୍ରାମର ବାସିନ୍ଦା। ୨୦୧୪ରେ ସେ ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ବି.ଏ. ଏଲ୍‌.ଏଲ୍‌.ବି (ସମ୍ମାନ) ଶେଷ କରିଥିଲେ। ୨୦୧୮ରେ ସେ ମଧ୍ୟ ‘ଲଣ୍ଡନ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସ’ରୁ ଆନ୍ତର୍ଜାତିକ ମାନବ ଅଧିକାର ଆଇନରେ ସାର୍ଟିଫିକେଟ୍‌ ହାସଲ କରିଥିଲେ। ପୂର୍ବରୁ ରାଜ୍ୟରେ ‘ଆପ୍‌’ ଯୁବ ଶାଖାର ନେତୃତ୍ବ ନେଇଥିବା ବୈଂସ୍‌ ୨୦୧୭ ବିଧାନସଭା ନିର୍ବାଚନରେ ସାହନେୱାଲ୍‌ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରି ପରାଜୟ ବରଣ କରିଥିଲେ।

ସେହିପରି, ହରିୟାଣାର ଗୁରୁଗ୍ରାମବାସିନୀ ଯାଦବ ହେଉଛନ୍ତି ପଞ୍ଜାବ କ୍ୟାଡର୍‌ର ‘ଆଇପିଏସ୍‌’ ଅଫିସର୍‌ ଏବଂ ଏବେ ମାନସା ଜିଲ୍ଲାର ଏସପି ଭାବେ କାର୍ଯ୍ୟରତ।