୨୦୫୦ ସୁଦ୍ଧା ଦେଶର ଅଧା ଜନସଂଖ୍ୟା ହୋଇଯିବେ ଅନଫିଟ୍
ନୂଆଦିଲ୍ଲୀ : (ସଂକେତ ଟିଭି) ଦିଲ୍ଳୀ ଏମ୍ସର ରିପୋର୍ଟରେ ଏକ ଚକିତ କଲାଭଳି ଖୁଲାସା ହୋଇଛି । ରିପୋର୍ଟ ଅନୁଯାୟୀ କୋରୋନା ପରଠାରୁ ପିଲାଙ୍କଠାରେ ପାଖ ବସ୍ତୁକୁ ଦେଖିବାରେ ଅର୍ଥାତ୍ ନିକଟ ଦୃଷ୍ଟି ଦୋଷ ମାୟୋପିଆ ମାମଲା ବଢ଼ିଛି । ଯାହାକି ଚିନ୍ତାଜନକ । ଏମିତିରେ ତ’ ଆଖି ସହ ଜଡ଼ିତ ସମସ୍ୟା ପ୍ରାୟ ସବୁ ବୟସରେ ଦେଖାଯାଇଥାଏ । କିନ୍ତୁ ନିକଟ ଅତୀତରେ ଆଖି ସମସ୍ୟାରେ ଅଧିକ ବୃଦ୍ଧି ଦେଖାଦେଇଛି । ଅତ୍ୟଧିକ ଡିଜିଟାଲ ସ୍କ୍ରିନ୍ ବ୍ୟବହାର ଦ୍ୱାରା ଏଥିରେ ବୃଦ୍ଧି ହେଉଛି । ସବୁଠୁ
ଅଧିକ ପିଲାଙ୍କ ଠାରେ ଏହି ଅସୁବିଧା ଅଧିକ ଦେଖାଦେଉଛି । ତେଣୁ ଏଥିପାଇଁ ଆଖିକୁ ସୁରକ୍ଷିତ ରଖିବା ଖୁବ୍ ଜରୁରୀ ।
ନିକଟରେ ହୋଇଥିବା ଏମ୍ସର ଗବେଷଣାରୁ ଜଣାପଡ଼ିଛି ଯେ କରୋନା ମହାମାରୀ ସମୟରେ ଅନଲାଇନ୍ କ୍ଲାସ୍, ସ୍ମାର୍ଟ ଫୋନ୍ ଅଧିକ ବ୍ୟବହାର ଏବଂ କମ୍ପ୍ୟୁଟର ଗେମ୍ସ ଖେଳିବା କାରଣରୁ ପିଲାଙ୍କ ଆଖି ଉପରେ ଖରାପ ପ୍ରଭାବ ପଡ଼ିଛି । ଗବେଷଣା ଅନୁଯାୟୀ, କରୋନା ପୂର୍ବରୁ ପିଲାଙ୍କଠାରେ ମାୟୋପିଆ ୫ ରୁ ୭ ପ୍ରତିଶତ ଥିଲା ଯାହାକି କରୋନା ପରେ ୧୧ ରୁ ୧୫ ପ୍ରତିଶତ ହୋଇଛି ।
ଏମ୍ସ ରାଜେନ୍ଦ୍ର ପ୍ରସାଦ ଆଖି ହସ୍ପିଟାଲର ମୁଖ୍ୟ ପ୍ରଫେସର ଜୀବନ ଏସ ଟିଟିୟାଲ କହିଛନ୍ତି ଯଦି ପିଲାମାନେ ସ୍ମାର୍ଟଫୋନ୍ , କମ୍ପ୍ୟୁଟର, ଅନଲାଇନ ଗେମ୍, ଡିଜିଟାଲର ଅତ୍ୟଧିକ ବ୍ୟବହାର କରିଚାଲିଥିବେ ତେବେ ୨୦୫୦ ସୁଦ୍ଧା ଦେଶରେ ୫୦ ପ୍ରତିଶତ ନିକଟ ଦୃଷ୍ଟି ରୋଗରେ ଶିକାର ହୋଇଯିବେ । ଏମିତିରେ ପିଲାମାନେ ଆଖିକୁ ସୁରକ୍ଷିତ ରଖିବା ଜରୁରୀ । ତେବେ ପିଲାଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହେବାରୁ ବଞ୍ଚାଇବା ପାଇଁ ବିଦ୍ୟାଳୟରେ ଏନେଇ ପ୍ରଶିକ୍ଷଣ ଏବଂ ନିର୍ଦ୍ଦେଶକୁ ପାଳନ କରିବାକୁ ହେବ । ପିଲାମାନଙ୍କୁ ଦିନକୁ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଡିଜିଟାଲ ସ୍କ୍ରନର ବ୍ୟବହାର କରିବାକୁ ଦିଆନଯାଉ । ଆଉ ମୋବାଇଲ ବ୍ୟବହାର କରୁଥିବା ସମୟରେ ମଧ୍ୟ ମଝିରେ ମଝିରେ ବିରତି ଦେବା ଦରକାର । ଯଦି ପିଲାଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହେଉଛି ତେବେ ତାଙ୍କୁ ଚଷମାର ବ୍ୟବହାର କରିବା ଦରକାର । ବର୍ଷରେ ଅନ୍ତତଃ ଥରେ ଆଖି ପରୀକ୍ଷା କରିବା ଦରକାର ।