ମଝି ଆକାଶରେ ବିମାନ ଯାତ୍ରୀଙ୍କ ମୃତ୍ୟୁ, କରାଚୀରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ : (ସଂକେତ ଟିଭି) ଦିଲ୍ଲୀରୁ ଦୋହା ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ ମଝି ଆକାଶରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହେବା ପରେ ପାକିସ୍ତାନର କରାଚୀରେ ଜରୁରୀକାଳୀନ ଅବତରଣ କରିଛି । ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ବ୍ୟକ୍ତିଜଣଙ୍କ ନାଇଜେରିଆର ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଇଣ୍ଡିଗୋ ବିମାନଟି ଆଜି ସକାଳ ୮ଟା ୪୧ ମିନିଟ ସମୟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେହା ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ପୂର୍ବାହ୍ନ ୧୧ଟାରେ ଦୋହା ବିମାନ ବନ୍ଦରରେ ଅବତରଣ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିବା ବେଳେ ଅଧାରାସ୍ତାରେ ଜଣେ ଯାତ୍ରୀଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ତେଣୁ ପାକିସ୍ତାନର କରାଚୀରେ ବିମାନ ଜରୁରୀ ଅବତରଣ କରିଥିଲା । ତେବେ ଅବତରଣ ପରେ ଏୟାରପୋର୍ଟର ମେଡିକାଲ ଟିମ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ବିମାନଟି କରାଚୀରେ ଅବତରଣ କରିବା ପୂର୍ବରୁ ନାଇଜେରିଆ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଥିଲା । ମୃତ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ବୋଲି ଜଣାପଡିଛି ।