ଆସନ୍ତାକାଲି ଧର୍ମଘଟରେ ସାମିଲ ହେବନି ଘରୋଇ ବସ୍, ରାଜ୍ୟର ସମସ୍ତ ରୁଟରେ ଗଡ଼ିବ ବସ୍

କଟକ : (ସଂକେତ ଟିଭି) ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ଧର୍ମଘଟ ଡାକରାରେ ଘରୋଇ ବସ୍ ମାଲିକ ସଂଘ ସାମିଲ ହେବନି । ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ୍ ଗଡ଼ିବ ବୋଲି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।

ଆସନ୍ତାକାଲିଠାରୁ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ଅଖ, ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ୍‌କୁ ସ୍ଥିତି ଉପରେ ନଜର ରଖିବାକୁ ସଂଘ ଅନୁରୋଧ କରିଛି।

ଦେବେନ୍ଦ୍ର ସାହୁ କହିଛନ୍ତି, ଡ୍ରାଇଭର ସଂଘ ଆମକୁ କିଛି ଦାବିପତ୍ର ଦେଇନି। ଆମେ ଆମର ବସ୍‌ ଚଳାଚଳ ସ୍ୱାଭାବିକ କରିବୁ। ଏନେଇ ଆମେ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦେଇଛୁ। ଗତକାଲି ଆମେ ପୁଲିସ୍ ମହାନିର୍ଦ୍ଦେଶକ (ଡିଜି) ଓ ଏଡିଜି (ଆଇନ ଶୃଙ୍ଖଳା)ଙ୍କ ପାଖକୁ ଯାଇଥିଲୁ ଏବଂ ୧୫ ତାରିଖରେ ଯାତ୍ରୀବାହୀ ବସ୍‌ ଚଳାଚଳ ହେଲେ ଯେମିତି କେହି ହଇରାଣ ନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲୁ। ଯାତ୍ରୀବାହୀ ବସ୍ ଗୁଡ଼ିକୁ କୌଣସି ସ୍ଥାନରେ କେହି ଅଟକାଇବେ ନାହିଁ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ଧର୍ମଘଟ ପାଇଁ କଟକ ଘରୋଇ ବସ୍ ମାଲିକ ସଂଘ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରିଛି ।