ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଅଫିସ ଗଲେ ସ୍ବାମୀ, କାମ ସାରି କଲେ ଆତ୍ମସମର୍ପଣ

ମୁମ୍ବାଇ : (ସଂକେତ ଟିଭି) ମହାରାଷ୍ଟ୍ରର ପାଲଘର ଜିଲାର ନାଲାସୋପାରାଠାରେ ସୋମବାର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା କରିବା ପରେ ଅଫିସ୍‌ ଯାଇ କାମ କରି ଡ୍ୟୁଟି ସରିବା ପରେ ପୋଲିସ୍‌ ଷ୍ଟେସନ୍‌‌ରେ ପହଞ୍ଚି ଆତ୍ମସମର୍ପଣ କରିଥିବା ସୂଚନା ରହିଛି। ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି।

ପାଲଘର ପୋଲିସ୍‌ ଥାନାର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ , ଉକ୍ତ ବ୍ୟକ୍ତି ଜଣଙ୍କ ସକାଳେ ତାଙ୍କ ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା କରିଥିଲେ। ଏହା ପରେ ସେ ନିଜ ଅପରାଧ ଲୁଚାଇବାକୁ ଚେଷ୍ଟା କରି ନ ଥିଲେ। ସ୍ତ୍ରୀଙ୍କ ମୃତଦେହକୁ ଘରେ ଛାଡି ଅଫିସକୁ ଯାଇଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଅଫିସରେ ପହଞ୍ଚିବା ପରେ ଏହି ବ୍ୟକ୍ତି ଦିନସାରା କାମ କରିଥିଲେ, ଏବଂ ହତ୍ୟା ବିଷୟରେ ତାଙ୍କ ସହକର୍ମୀଙ୍କୁ କିଛି କହି ନ ଥିଲେ। ପରେ ଅଫିସରୁ କାମ ସାରି ବ୍ୟକ୍ତି ଜଣଙ୍କ ପୋଲିସ ଷ୍ଟେଶନକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ସେହି ବ୍ୟକ୍ତିଙ୍କର ନିଜ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ ଥିଲା। ସେହି କାରଣରୁ ସେ ପତ୍ନୀଙ୍କ ଗଳା ଚିପି ତାଙ୍କର ହତ୍ୟା କରିଛନ୍ତି।