ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଅନ୍ଦୋଳନ: ଜନଜୀବନ ପ୍ରଭାବିତ
ଭୁବନେଶ୍ବର : (ସଂକେତ ଟିଭି) ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ବୁଧବାର ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଇଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ଠପ୍ ହୋଇଯାଇଥିବା ବେଳେ ଜନଜୀବନ ବି ପ୍ରଭାବିତ ହୋଇଛି । ରାଜ୍ୟର ପ୍ରମୁଖ ସହର ଯେପରିକି ଭୁବନେଶ୍ବର, କଟକ, ବାଲେଶ୍ବର ବ୍ରହ୍ମପୁର, ପୁରୀ ସମେତ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତା ଘାଟରେ ଗାଡି ଚଳାଚଳ ଠପ୍ ହୋଇଯାଇଥିବା ବେଳେ ପ୍ରମୁଖ ରାଜପଥ ଗୁଡିକରେ ଲମ୍ବା ଲାଇନ୍ ଲାଗିଛି । ଅବଶ୍ୟ ଅତ୍ୟାବଶ୍ୟକ ସେବା ଯେପରିକି ସ୍କୁଲ ଗାଡି, ଆମ୍ବୁଲାନ୍ସ ସେବା, ହସ୍ପିଟାଲ ଗାଡି ତଥା ଗଣମାଧ୍ୟମ ଗାଡି ଗଡିକୁ ବନ୍ଦରୁ ବାଦ୍ ଦିଆଯାଇଛି ।
ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଉପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ସଚିବ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀମତୀ ସାହୁ କହିଛନ୍ତି, ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଡ୍ରାଇଭର ସଙ୍ଘର ଯାହା ଯାହା ଦାବି ରହିଛି। ସେଇ ଦାବି ଗୁଡିକୁ ଆଲୋଚନାକୁ ନିଆଯିବ। ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି। ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ଅନ୍ୟପଟେ ଧର୍ମଘଟ ନ କରିବା ପାଇଁ ଗତ କାଲି ଡ୍ରାଇଭ ସଂଘକୁ ନିବେଦନ କରାଯାଇଥିଲା ବୋଲି ସେ କହିଛନ୍ତି।
ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ କହିଛନ୍ତି ଆଲୋଚନା ମାଧ୍ୟମରେ ସବୁ ଦାବି ସରକାର ସମାଧାନ କରିବାକୁ ପ୍ରସ୍ତୁତ । ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବିଗୁଡିକୁ ନେଇ ସକରାତ୍ମକ ଭାବେ ବିଚାର କରୁଛନ୍ତି। ଏହାକୁ ନେଇ ପୂର୍ବରୁ ଆଲୋଚନା ହୋଇଛି। ଆଗକୁ ମଧ୍ୟ ଆଲୋଚନା କରାଯିବ। ଡ୍ରାଇଭରମାନଙ୍କର ବିଭିନ୍ନ ସଂଘ ଅଛି। ଗୋଟିଏ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଆମେ ଅନୁରୋଧ କରୁଛୁ । ଆମେ ତାଙ୍କ ସହ କଥା ହେବା ପାଇଁ ରାଜି ଅଛୁ। ତାଙ୍କ ଦାବି ଆମ ସହ ଆଲୋଚନା କରନ୍ତୁ । ଚର୍ଚ୍ଚାରେ ସବୁ କିଛି ସମାଧାନ ହେବ।