ନିଯୁକ୍ତି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ସହ ପତ୍ନୀ ରାବଡି ଓ ଝିଅ ମିଶାଙ୍କୁ ଜାମିନ୍

ପାଟନା : (ସଂକେତ ଟିଭି) ନିଯୁକ୍ତି ବଦଳରେ ଜମି ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉସ ଏଭିନ୍ୟୁ କୋର୍ଟ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବଡ଼ି ଦେବୀ ଓଝିଅ ତଥା ଆରଜେଡି ସାଂସଦ ମିସା ଭାରତୀଙ୍କୁ ଜାମିନ ଦେଇଛନ୍ତି। ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ବୁଧବାର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ସିବିଆଇ ମାମଲାର ତଦନ୍ତ କରୁଥିବାବେଳେ ବିନା ଗିରଫରେ ଚାର୍ଜସିଟ୍ ଦାଖଲ କରିଛି। ଏହାକୁ ଗୁରୁତ୍ୱ ଦେଇ କୋର୍ଟ ୫୦ ହଜାର ବ୍ୟକ୍ତିଗତ ବେଲ୍ ବଣ୍ଡ ସହ ୫୦ ହଜାର ସିକ୍ୟୁରିଟି ଟଙ୍କା ଦାଖଲ ସର୍ତ୍ତରେ ଅଭିଯୁକ୍ତମାନଙ୍କୁ ବେଲ୍ ଦିଆଯାଇଛି।

ବୁଧବାର ସକାଳେ ମାମଲାରେ ଆରଜେଡି ସୁପ୍ରିମୋ ୭୪ ବର୍ଷୀୟ ଲାଲୁ ପ୍ରସାଦ ଯାଦବ ତାଙ୍କର ପତ୍ନୀ ରାବଡି ଦେବୀ ଓ ଝିଅ ଆଜି ଦିନ ପ୍ରାୟ ୧୦ଟା ସମୟରେ କୋର୍ଟରେ ହାଜର ହୋଇଥିଲେ । ହ୍ୱିଲ୍‌ ଚେୟାର୍‌ରେ କୋର୍ଟକୁ ଆସିଥିଲେ ଲାଲୁ। ଏହି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ୧୪ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା । ଯେଉଁଥିରେ ଯାଦବ ପରିବାରର ସଦସ୍ୟଙ୍କ ନାଁ ରହିଥିଲା ।

ସିବିଆଇ ଅଭିଯୋଗ କରିଥିଲା ଯେ ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବା ସମୟରେ ରେଲୱେରେ ନିଯୁକ୍ତି ପାଇଁ ଲୋକଙ୍କ ଠାରୁ ଲାଞ୍ଚ ଭାବେ ଜମି ନେଉଥିଲେ ବା ଅତି କମ୍ ମୂଲ୍ୟରେ ଜମି କିଣୁଥିଲେ । ଏହି ମାମଲାର ଖୋଳତାଡ କରୁଥିବା ତଦନ୍ତକାରୀ ସଂସ୍ଥା ଗତ ୬ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ ପାଟନା ସ୍ଥିତ ବାସଭବନରେ ପହଞ୍ଚି ୪ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ପଚରାଉଚରା କରିଥିଲା । ଏହାର ପରଦିନ ଦିଲ୍ଲୀରେ ମିସା ଭାରତୀଙ୍କ ବାସଭବନରେ ଲାଲୁ ଯାଦବଙ୍କୁ ଜେରା କରାଯାଇଥିଲା ।

ଏହାପରେ ଗତ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଲାଲୁ ଯାଦବଙ୍କ ଅନେକ ସମ୍ପର୍କୀୟଙ୍କ ଠିକଣାରେ ଚଢାଉ କରିଥିଲା । ଯେଉଁ ସବୁ ସ୍ଥାନରେ ଚଢାଉ ହୋଇଥିଲା ତାହା ମଧ୍ୟରେ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପୁଅ ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ନ୍ୟୁ ଫ୍ରେଣ୍ଡସ୍ କଲୋନୀରେ ଥିବା ବାସଭବନ ଏବଂ ଝିଅ ମିଶା ଭାରତୀଙ୍କ ଘର ମଧ୍ୟ ରହିଥିଲା । ଏହାବ୍ୟତୀତ ହେମା ଚନ୍ଦା ଏବଂ ରାଗିଣୀ ଯାଦବଙ୍କ ଶାଶୁଘରେ ମଧ୍ୟ ରେଡ୍ କରିଥିଲା ଇଡି । ଏହି ସମୟରେ କୋଟି କୋଟି ଟଙ୍କା ଅବୈଧ ସମ୍ପତ୍ତି ତଦନ୍ତକାରୀ ଏଜେନ୍ସି ହାତରେ ଲାଗିଥିବା କୁହାଯାଇଥିଲା । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ମଧ୍ୟ ସିବିଆଇରୁ ଡାକରା ଆସିସାରିଛି । ତାଙ୍କୁ ପଚରାଉଚରା ଲାଗି ମାର୍ଚ୍ଚ ୧୧ ତାରିଖରେ ସିବିଆଇ ଅଫିସର ହାଜର ହେବାକୁ ସମନ ହୋଇଥିଲା । ହେଲେ ଗର୍ଭବତୀ ପତ୍ନୀ ରାଜଶ୍ରୀ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବା ଦର୍ଶାଇ ସେ ହାଜର ହୋଇନଥିଲେ । ଏହାପୂର୍ବରୁ ମଧ୍ୟ ସିବିଆଇ ସମନ ଜାରି କରିଥିବାବେଳେ ସେ ବିଧାନସଭା ବଜେଟ ଅଧିବେଶନ ଆଳରେ ହାଜର ହୋଇନଥିଲେ ।