୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୁପଣ ହୋଇଛି : ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ବର : (ସଂକେତ ଟିଭି) ରାଜ୍ୟରେ ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୁପଣ ହୋଇଛି। ଏଥିରୁ ଧାମରା ଓ ଗୋପାଳପୁରରେ ଦୁଇଟି ଅଣବୃହତ ବନ୍ଦର କାର୍ଯ୍ଯକ୍ଷମ ରହିଛି। ସୁବର୍ଣ୍ଣପୁର ଓ ଅସ୍ତରଙ୍ଗ ମୁହାଣରେ ବନ୍ଦର କାମ ଚାଲିଛି। ବାକି ୧୦ଟିରୁ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ଚାନ୍ଦିପୁର, ଇଞ୍ଚୁଡ଼ି ସହ ଭଦ୍ରକ, ପୁରୀ ଓ ଗଞ୍ଜାମରେ ଅଣବୃହତ ବନ୍ଦର ନିର୍ମାଣ ହେବ।

ସବୁ ଜିନିଷ ସୁବ୍ୟବସ୍ଥିତ କରିବା ପାଇଁ ମାଡ୍ରାସ ଆଇଆଇଟି ସହ ୧୬କୋଟି ୮୫ଲକ୍ଷ ୪ଶହ ଟଙ୍କାର ଚୁକ୍ତି ହୋଇଛି। କେନ୍ଦ୍ରାପଡ଼ା ମହାକାଳପଡ଼ା ମହାନଦୀ ନିକଟରେ ନଦୀଭିତ୍ତିକ ବନ୍ଦର ପାଇଁ ପ୍ରସ୍ତାବ ରହିଛି । ଏହାର ସର୍ଭେ ପାଇଁ WAPCOSକୁ ୭୪କୋଟି ଦିଆଯାଇଛି । ସବୁ କାମ ସରକାରୀ ଓ ଘରୋଇ ସହାଭାଗିତାରେ ଚାଲିଛି। ରାଜ୍ୟ ସରକାର କେବଳ ଲିଜ ସୂତ୍ରରେ ଜମି ଯୋଗାଇ ଦେଉଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଉତ୍ତର ରଖିଛନ୍ତି ।