ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ ମୃତ

ନୂଆଦିଲ୍ଲୀ : (ସଂକେତ ଟିଭି) ଅରୁଣାଚଳ ପ୍ରଦେଶର ମଣ୍ଡାଲାରେ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଥିବା ଦୁଇ ପାଇଲଟ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗୁରୁବାର ସକାଳ ୯ ଟା ୧୫ ମିନିଟ୍‌ ସମୟରେ ହେଲିକପ୍ଟର ସହ ସମ୍ପର୍କ ଛିନ୍ନ ହୋଇଥିଲା। ଏହାପରେ ହେଲିକପ୍ଟର କ୍ରାସ୍‌ ହୋଇଥିବା ନେଇ ସୂଚନା ମିଳିଥିଲା। ତେବେ ସେନା ତରଫରୁ ଦୁଇ ପାଇଲଟଙ୍କ ମୃତ ଦେହ ଆଣିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ଗତ ବର୍ଷ ଅକ୍ଟୋବରରେ ମଧ୍ୟ ତଓ୍ବାଙ୍ଗ ଅଞ୍ଚଳରେ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଜଣେ ପାଇଲଟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ ୫ ଅକ୍ଟୋବରରେ ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଏକ ନିୟମିତ ଉଡ଼ାଣ ସମୟରେ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସେନାର ଦୁଇ ପାଇଲଟ ଆହତ ହୋଇଥିଲେ। ଯେଉଁଥିରେ ଜଣକର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା। ହେଲିକପ୍ଟର ଦୁଇ ପାଇଲଟଙ୍କ ସହ ତଓ୍ବାଙ୍ଗର ସୁରବା ଅଞ୍ଚଳରେ ନିୟମିତ ଉଡ଼ାଣ ଭରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ପରେ ସେଠାରେ ଉଦ୍ଧରକାରୀ ଦଳ ପହଞ୍ଚି ଦୁଇ ପାଇଲଟଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଥିଲା।