ବିଶ୍ବସ୍ଥ ଆଇଏଏସ, ଆଇପିଏସଙ୍କ ପାଇଁ ସବୁ ମାଫ୍ : ଜୟନାରାୟଣ

ଭୁବନେଶ୍ବର : (ସଂକେତ ଟିଭି) କେନ୍ଦୁଝର ଜିଲ୍ଲାପାଳ ପ୍ରଶାସନର କାମ ଛାଡି ବେପାର କରିବାରେ ବ୍ୟସ୍ତ । କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାପାଳ ସେହି ଜିଲ୍ଲାରେ ୬ବର୍ଷ ରୁ ଅଧିକ ସମୟ ରହିଲେଣି । ଖାଦ୍ୟ ଯୋଗାଣ ସଚିବ ବୀର ବିକ୍ରମ ଯାଦବ ୨୦୧୭ରୁ ଗୋଟେ ବିଭାଗରେ ରହିଛନ୍ତି । ଯିଏ କି ପୂର୍ତ୍ତ ଓ ଶ୍ରୀ ମନ୍ଦିର ପ୍ରଶାସନ ଦାୟିତ୍ୱରେ ରହିଛନ୍ତି । ଅରୁଣ ବୋଥ୍ରା ଟ୍ରାନ୍ସପୋର୍ଟ କମିଶନର ଓ କ୍ରାଇମବ୍ରାଞ୍ଚର ଏଡ଼ିଜି ବି ରହିଛନ୍ତି । ସେହିପରି ସୁଶୀଲ କୁମାର ଲୋହାନି ବି ପଂଚାୟତିରାଜ ସଚିବ ଓ ସିଇଓ ବି ରହିଛନ୍ତି । ଗୋଟେ ବିଭାଗ କି ଗୋଟେ ଜାଗାରେ ଜଣେ ଅଫିସର ଅଧିକ ରହିବା କଥା ନୁହେଁ । କିମ୍ବା ଗୋଟିଏ ଲୋକ ଏକାଧିକ ପୋଷ୍ଟରେ ରହିବା ବି ଅନୁଚିତ । ଏଥିପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ନୀତି ରହିବା ଆବଶ୍ୟକ ବୋଲି କହି ବୁଧବାର ଦିନ ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର |

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ସମାନ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଯେ ଜଣେ ସଚିବ ନଗର ଉନ୍ନୟନ ବିଭାଗରେ ୯ ବର୍ଷ ରହିଲେଣି । ସେ କେବେ ବିଧାୟକମାନଙ୍କ ଫୋନ ଉଠାନ୍ତି ନାହିଁ । ସେ ବହୁତ ଆରୋଗାଣ୍ଟ । ବୁକ ସରକୁଲାର ୪୭କୁ ମାନୁ ନାହାନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯିଏ ଶ୍ରୀମନ୍ଦିର ପ୍ରଶାସନରେ ରହିବ ସେ କୌଣସି କାମରେ ରହିବନି । କିନ୍ତୁ ତାହା ବି ପାଳନ ହେଉନି । କେନ୍ଦୁଝର ଜିଲ୍ଲାପାଳଙ୍କ କଥା ନ କହିବା ହିଁ ଭଲ । ଖଣି ଅଛି ପଇସା ଅଛି । ତେଣୁ ତାଙ୍କୁ ବଦଳି କରାଯିବ ନାହିଁ । କାହିଁକି ନାଁ ଖଣି ପଇସାରେ ଏ ସରକାର ଚାଲିଛି ।