ଶିବଲିଙ୍ଗରେ ଜଳାଭିଷେକ କଲେ ପିଡିପି ମୁଖ୍ୟ ମେହେବୁବା ମୁଫତି

ଶ୍ରୀନଗର : (ସଂକେତ ଟିଭି) ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ଆଜି ଦକ୍ଷିଣ କାଶ୍ମୀର ପୁଞ୍ଚ ଜିଲ୍ଲାରେ ଥିବା ଏକ ଶିବ ମନ୍ଦିରରେ ଜଳାଭିଷେକ କରିଛନ୍ତି । ମୁଫତିଙ୍କ ସହ କିଛି ସହକର୍ମୀ ଓ ମନ୍ଦିର ପ୍ରଶାସନର କାର୍ଯ୍ୟକର୍ତ୍ତା ରହିଥିଲେ । ମୁଫତିଙ୍କ ଜଳାଭିଷେକର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ପୂର୍ବାହ୍ନରେ ମୁଫତି ପୁଞ୍ଚରେ ଥିବା ନବଗ୍ରହ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିର ପରିସରରେ ଥିବା ଶିବଲିଙ୍ଗରେ ସେ ଜଳାଭିଷେକ କରିଥିଲେ । ପରେ ଅନ୍ୟ ସମସ୍ତ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ । ସାଙ୍ଗରେ ସହକର୍ମୀ ଓ ଅନ୍ୟ କିଛି ଶ୍ରଦ୍ଧାଳୁ ମଧ୍ୟ ଥିଲେ । ମନ୍ଦିରରେ ପରିସରରେ ଥିବା ବାଣୀ ୟାସପାଲ ଶର୍ମାଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ସେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ମୁଫତିଙ୍କ ଜଳାଭିଷେକକୁ ଜମ୍ମୁ କାଶ୍ମୀର ବିଜେପି ଶାଖା ସହଜରେ ଗ୍ରହଣ କରିପାରିନି । ଏହା ଏକ ରାଜନୈତିକ ପ୍ରଦର୍ଶନ ବୋଲି ଦଳ କହିଛି । ବିଜେପି ଶାଖା ପ୍ରବକ୍ତା ରଣବୀର ସିଂ ପଠାନିଆ କହିଛନ୍ତି ନିଜେ ମୁଫତି ଓ ତାଙ୍କ ଦଳ ଅମରନାଥ ପୀଠକୁ ଜମି ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରିଥିଲା । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ହେବାକୁ ଥିବା ଏକାଧିକ ପ୍ରକଳ୍ପ ପାଇଁ ଜମି ଆବଶ୍ୟକ ହେଉଥିବା ବେଳେ ମୁଫତିଙ୍କ ଦଳ ସେଥିରେ ବାଧା ସୃଷ୍ଟି କରିଥିଲା । ନିଜେ ମୁଫତି ମଧ୍ୟ ଜମି ପ୍ରଦାନକୁ ନେଇ କଡା ଆପତ୍ତି ଦର୍ଶାଇଥିଲେ । ଏବେ ତାଙ୍କର ମନ୍ଦିର ପରିଦର୍ଶନ ଓ ଶିବଲିଙ୍ଗରେ ଜଳାଭିଷେକ କେବଳ ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟକଳାପ । ସେଥିରେ ତାଙ୍କୁ କୌଣସି ସୁଫଳ ମିଳିବ ନାହିଁ ବୋଲି ପଠାନିଆ କହିଥିଲେ ।

ନ୍ଦିର ପରିଦର୍ଶନ ପରେ ମୁଫତି ଏକ ପ୍ରେସମିଟ କରିଥିଲେ । ସେଥିରେ ସେ ଚିରାଚରିତ ଢଙ୍ଗରେ କେନ୍ଦ୍ର ସରକାର ଓ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଥିଲେ । କାଶ୍ମୀରରେ ସାଧାରଣ ଲୋକଙ୍କ ଘରକୁ ବୁଲଡୋଜର ଲଗାଇ ସ୍ବଂସ କରାଯାଉଥିବା ମୁଫତି କହିଥିଲେ। ପୂର୍ବରୁ ମଧ୍ୟ ସେ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଥିଲେ ।