ରଙ୍ଗ ଲଗାଇବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଶିକ୍ଷକ
ଭଦ୍ରକ : (ସଂକେତ ଟିଭି) ହୋଲିରେ ରଙ୍ଗ ଲଗାଇବା ବାହାନାରେ ଜଣେ ଶିକ୍ଷକ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ଏମିତି କି ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଯୁବତୀ ଓ ତାଙ୍କ ପରିବାର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧିନ କଟିନା ଗାଁରେ ଜନୈକ ଶିକ୍ଷକଙ୍କର ଯୁବତୀଙ୍କ ପରିବାର ସହ ବିବାଦ ରହିଥିବା । ତେବେ ହୋଲି ଦିନ ରଙ୍ଗ ଲଗାଇବା ବାହାନାରେ ଶିକ୍ଷକ ଜଣକ ଯୁବତୀଙ୍କ ଘରକୁ ଯାଇଥିଲେ । ସେଠାରେ ସେ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ତେବେ ଶିକ୍ଷକଙ୍କ ସମେତ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଧମକ ଦେଇଥିବା ଯୁବତୀ କହିଛନ୍ତି ।
ଘଟଣା ଦିନ ଯୁବତୀଙ୍କ ପାଟି ଶୁଣି ପଡୋଶୀମାନେ ଆସିଯିବାରୁ ଶିକ୍ଷକ ଓ ତାଙ୍କ ସ୍ତ୍ରୀ ଘରୁ ପଳାଇ ଯାଇଥିଲେ । ଏନେଇ ଯୁବତୀଙ୍କ ପରିବାର ଲୋକେ ବନ୍ତ ଥାନାରେ ଲିଖିତ ଏତଲା ଦେଇଥିଲେ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଭଦ୍ରକ ଏସପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଯୁବତୀଙ୍କ ପରିବାର ନିବେଦନ କରିଛନ୍ତି । ଘଟଣାକୁ ନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।