ଅବସରପ୍ରାପ୍ତ ଅଫିସରଙ୍କ କ୍ଲବ ପାଲଟିଛି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ : ଜୟନାରାୟଣ

ଭୁବନେଶ୍ବର : (ସଂକେତ ଟିଭି) ଅବସରପ୍ରାପ୍ତ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତିକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଫିସରଙ୍କ ପ୍ରସଙ୍ଗ ଉଠାଇଛନ୍ତି । ଅବସର ପରେ ଅସିତ ତ୍ରିପାଠୀ, ବାଲ କ୍ରିଷ୍ଣନ, ଉପେନ୍ଦ୍ର ତ୍ରିପାଠୀ, ପି କେ ମହାପାତ୍ର ଓ ଗୋପବନ୍ଧୁ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ତାଙ୍କୁ ପୁନଃ ନିଯୁକ୍ତି କରାଯାଇଛି ।

ମନୋଜ ମିଶ୍ର ଇସ୍ତଫା ଦେଲା ପରେ ମଧ୍ୟ ତାଙ୍କୁ ବି ସରକାରରେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଟାୟାର୍ଡ ଅଫିସରଙ୍କ କ୍ଲବ୍ ପାଲଟିଛି । ଏଇଟା କଣ ମୋ ସରକାର, ଏଇଟା କଣ 5-T, ଏଇଟା କଣ ଏକ ବିଚାର ଧାରା । ରାଜ୍ୟରେ ନିଯୁକ୍ତି ମିଳୁ ନଥିବା ବେଳେ ଅବସରର ପ୍ରାପ୍ତ ଅଫିସରମାନଙ୍କୁ ଥଇଥାନ କରାଯାଉଛି । ଗୃହରେ ଏ ନେଇ ସରକାରଙ୍କ ପକ୍ଷରୁ ବିବୃତ୍ତି ରଖନ୍ତୁ ବୋଲି ଜୟନାରାୟଣ କହିଛନ୍ତି ।

ସେପଟେ ବିଜେଡି ବିଧାୟକ ଅରୁଣ ସାହୁ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପୁଣି ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ୍ ପରେ ଜବାବ ରଖିଛନ୍ତି । ସେ କହିଛନ୍ତି, ଗୋଟେ ଆଙ୍ଗୁଳି ଅନ୍ୟକୁ ଦେଖେଇଲେ ଚାରୋଟି ଆଙ୍ଗୁଳି ନିଜ ଆଡକୁ ଆସିବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୋଧ ହୁଏ, ବିରୋଧୀ ଦଳ ନେତାଙ୍କ କଳି ରହିଛି ସେଥିପାଇଁ ତାଙ୍କୁ ଅକଳରେ ପକାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ଅଫିସରେ କେତେ ଜଣ ଅବସରପ୍ରାପ୍ତ ଅଧିକାରୀ ଅଛନ୍ତି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଅଫିସ ତଥା ସାଉଥ ବ୍ଲକରେ ଥିବା ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ ଅରୁଣ ପ୍ରଶ୍ନ କରିଛନ୍ତି । ଖୋଲା ମାର୍କେଟରୁ ଆରଏସଏସ କ୍ୟାର୍ଡରରୁ ଉଠାଯାଇ ଜଏଣ୍ଟ ସେକ୍ରେଟାରୀ ରଖାଯାଉଛି । ସମ୍ବିଧାନର କେଉଁଠି ଲେଖାଯାଇଛି ସେମାନଙ୍କୁ ରଖାଯାଇ ପାରିବନାହିଁ । ବିଜେପି ଶାସିତ ରାଜ୍ୟରେ କେତେ କେତେ ଜଣ ଅଛନ୍ତି ହିସାବ କର ? ବିଧାନସଭାରେ ଯେଉଁ ଯେଉଁମାନେ ନାହାନ୍ତି, ସେମାନଙ୍କ ନାଁ ନେବା କଥା ନୁହେଁ । ଏହି ମାନସିକତା ପରିହାର କରନ୍ତୁ ବିରୋଧୀ । ଗୋଟେ ମାନସିକତା ନେଇ ବିଧାନସଭାକୁ ଆସୁଛନ୍ତି । ଏହି ବାଚାଳାମି କେତେ ଦିନ ଚାଲିବ ? ଜଣେ ମାନସିକ ରୋଗ ବିଶେଷଜ୍ଞ ଏହି ରୋଗର ନିରାକରଣ କରିପାରିବେ ।

ଅରୁଣଙ୍କ ମନ୍ତବ୍ୟ ପରେ ଗୃହ ମଧ୍ୟରେ ବିରୋଧୀ ପ୍ରବଳ ହୋହଲ୍ଲା କରିଥିଲେ। ବାଚସ୍ପତି ଗୃହକୁ ୧୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।