ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ
ଭୁବନେଶ୍ବର: (ସଂକେତ ଟିଭି) ୩ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ଡ୍ରାଇଭର ମହାସଂଘ ପ୍ରତ୍ୟାହୃତ କରିଛି । ଏନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି। ଏନେଇ ସୋସିଆଲ ମଡିଆ ଫେସ୍ବୁକ୍ରେ ଏଭ ଭିଡିଓ ପୋଷ୍ଟ କରି ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ ହକ୍ ଓ ସମ୍ମାନ ପାଇଁ ଡ୍ରାଇଭର ସଂଘ କରିଥିବା ଆନ୍ଦୋଳନ ସଫଳ ହୋଇଛି । ଜନସାଧାରଣ ମଧ୍ୟ ଆମକୁ ସମର୍ଥକ କରିଛନ୍ତି । ଆମ ପାଇଁ ଲୋକମାନେ ମଧ୍ୟ ବହୁତ ହଇରାଣ ହୋଇଛନ୍ତି। ସେଥି ପାଇଁ ସେ ଓଡିଶାବାସୀଙ୍କୁ କ୍ଷମାମାଗିଛନ୍ତି । ସହଯୋଗ କରିଥିବାରୁ ସେ ରାଜ୍ୟବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ସରକାର ଏବଂ ମୁଖ୍ୟ ଶାସନ ସଚିବଙ୍କ ଅପିଲକୁ ସମ୍ମାନ ଜଣାଇ ଧାରଣାରୁ ଓହରିଥିବା ସେ କହିଛନ୍ତି । ଆସନ୍ତା ତିନି ମାସରେ ଦାବି ପୂରଣ ହେବ ବୋଲି ଗତକାଲି ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଚିଠି ଲେଖିଥିଲେ। ତେବେ ସେ ଚେତାବନୀ ଦେଇଛନ୍ତି ଯେ ସରକାର ଦାବି ପୂରଣ କରିବା ଦିଗରେ ୯୦ ଦିନରୁ ୯୧ ଦିନ କରିଲେ ଆନ୍ଦୋଳନ ତୀବ୍ରତର ହେବ । ଏହା ସହିତ ସମସ୍ତ ଡ୍ରାଇଭର ଭାଇ ନବୀନ ନିବାସ ଆଗରେ ଆତ୍ମାହୁତି ଦେବେ ବୋଲି ସେ କହିଛନ୍ତି ।