ଚମ୍ବଲ ନଦୀ ପାର୍ ବେଳେ ଭାସିଗଲେ ୧୭ଜଣ, ୩ ମୃତଦେହ ଉଦ୍ଧାର
ଭୋପାଲ : (ସଂକେତ୍ ଟିଭି ) ମଧ୍ୟପ୍ରଦେଶ ମୁରୈନା ଜିଲ୍ଲାରେ ଚମ୍ବଲ ନଦୀରେ ୧୭ଜଣ ଶ୍ରଦ୍ଧାଳୁ ଭାସିଯାଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ୮ଜଣ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଥିବା ୪ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ସୂଚନା ମୁତାବକ ଶିବପୁରୀ ଜିଲ୍ଲାର କୁଶବାହ ସମାଜର ୧୭ ଜଣ ଲୋକ କୈଲା ଦେବୀଙ୍କ ଦର୍ଶନ ପାଇଁ ପଦଯାତ୍ରା ଆରମ୍ଭ କରିଥିଲେ । ସେ ଶିବପୁରୀରୁ ଚାଲି ଚାଲି ମାଆଙ୍କ ମନ୍ଦିରକୁ ଆସୁଥିଲେ । କୈଲା ଦେବୀଙ୍କ ପୀଠକୁ ଯିବାବାଟରେ ଚମ୍ବଲ ନଦୀ ପଡେ । ତେଣୁ ସମସ୍ତ ଶ୍ରଦ୍ଧାଳୁ ରୋଧଇ ଘାଟ ଠାରେ ନଦୀ ଭିତରେ ପଶି ଆରପଟକୁ ଯିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ହଠାତ୍ ନଈରେ ପ୍ରଖର ସୁଅ ଆସିଥିଲା । ଯେଉଁ କାରଣରୁ ଶ୍ରଦ୍ଧାଳୁମାନେ ଭାସିଯାଇଥିଲେ । ଶ୍ରଦ୍ଧାଳୁମାନଙ୍କ ଚିତ୍କାର ଶୁଣି ଆଖପାଖ ଅଞ୍ଚଳର ଲୋକମାନେ ସେଠାକୁ ଧାଇଁ ଆସିଥିଲେ ।
ଯାହା ସୂଚନା ମିଳିଛି ସ୍ଥାନୀୟ ଲୋକେ ପାଣି ଭିତରୁ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏବେବି ୪ଜଣ ନିଖୋଜ ରହିଛନ୍ତି । ଖବର ପାଇ ପୋଲିସ ପ୍ରଶାସନ ସହ ଏସଡିଆରଏଫ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତଦେହ ମିଳିଥିବା ଜିଲ୍ଲାପାଳ ଜଣାଇଛନ୍ତି ।
ଚୈତ୍ର ମାସରେ କରୌଲି ଜିଲ୍ଲାସ୍ଥିତ କୈଲା ଦେବୀଙ୍କ ପୀଠକୁ ଭାରତର ସବୁ ସ୍ଥାନରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ବିଶେଷକରି ପଡୋଶୀ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ପ୍ରତ୍ୟେକ ବର୍ଷ ଚୈତ୍ର ନବରାତ୍ର ପୂର୍ବରୁ ପୀଠରେ ପ୍ରସିଦ୍ଧ ଲକ୍ଷ୍ମୀ ମେଳା ଅନୁଷ୍ଠିତ ହୋଇଥାଏ । ମେଳାରେ ରାଜସ୍ଥାନ ମଧ୍ୟପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଆସନ୍ତା ୧୯ ତାରିଖରେ ଏହି ମେଳା ଆରମ୍ଭ ହେବାକୁ ଥିବାରୁ ବିଭିନ୍ନ ଅଞ୍ଚଳରୁ ପଦଯାତ୍ରୀମାନେ କୈଲାଦେବୀ ପହଞ୍ଚିବା ଆରମ୍ଭ କରିଛନ୍ତି ।