ନକଲି କାଗଜପତ୍ର ପ୍ରସ୍ତୁତ କରି ଭଡା ଘର କବଜା କରିଥିବା ଠକ ଦମ୍ପତ୍ତି ଗିରଫ
ଭୁବନେଶ୍ବର : (ସଂକେତ୍ ଟିଭି ) ନକଲି କାଗଜପତ୍ର ପ୍ରସ୍ତୁତ କରି ଭଡା ଘର କବଜା କରିଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରିଛି । ଗିରଫ ଦମ୍ପତି ହେଲେ ବିହାରର ସନ୍ଦୀପ ପ୍ରସାଦ ଏବଂ ପଶ୍ଚିମବଙ୍ଗର ସୋନାଟା ଦାସ। ସେମାନଙ୍କ ନିକଟରୁ ଏକାଧିକ ଜାଲ୍ ଦସ୍ତାବିଜ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଛି।
ସୂଚନା ଅନୁସାରେ, ସନ୍ଦୀପ ଏବଂ ସ୍ତ୍ରୀ ସୋନାଟା ଘର ମାଲିକଙ୍କୁ ଠକିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେମାନେ ପ୍ରଥମେ ଘରକୁ ଭଡ଼ା ଆକାରରେ ନେଉଥିଲେ। କିଛି ମାସ ଭଡ଼ା ଦେବା ପରେ ସେମାନେ ଉକ୍ତ ପ୍ଲଟ୍ର ନକଲି କାଗଜପତ୍ର ପ୍ରସ୍ତୁତ କରୁଥିଲେ। ଏଥିସହ ନକଲି ସେଲ୍ ଡିଡ୍ ମଧ୍ୟ ପସ୍ତୁତ କରି କୋର୍ଟରେ ଦାଖଲ କରି ଏକ ସିଭିଲ୍ କେସ୍ କରୁଥିଲେ। ପରେ ଘରକୁ କରାୟତ କରି ଘର ଛାଡୁନଥିଲେ। ମାଲିକ ସେମାନଙ୍କୁ କିଛି କହିଲେ ଘର ବିକ୍ରି କରି ଦେଇଥିବା କହୁଛନ୍ତି। ଏପରିକି ପୁଲିସ ଏବଂ କୋର୍ଟକୁ ନକଲି ଦସ୍ତାବିଜ୍ ଦେଇ ଭୁଆଁ ବୁଲାଉଥିଲେ। ଏହିଭଳି ସେମାନେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ସେଣ୍ଟର ନିକଟରେ ରହୁଥିବା ଘର ମାଲିକ ସୁମନ୍ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ।
ଏକ ବିୟୁଟି ପାର୍ଲର କରିବା ଆଳରେ ଘର ଭଡ଼ା ନେଇଥିଲେ। ମାସକୁ ଘର ଭଡ଼ା ଆକାରରେ ୨୦ ହଜାର ଟଙ୍କା ଦେବାକୁ ଚୁକ୍ତି ହୋଇଥିଲା। ଏକ ବର୍ଷ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ ଘର ଭଡ଼ା ଦେଇଥିଲେ। କିନ୍ତୁ ବର୍ଷକ ପରେ ସେମାନେ ଉକ୍ତ ଘରର ନକଲି କାଗଜପତ୍ର ପ୍ରସ୍ତୁତ କରିଥିଲେ। ପରେ ପରେ ଘର ମାଲିକ ବାହାରି ଯିବାକୁ କହିବାରୁ କୋର୍ଟରେ ଜାଲ୍ ସେଲ୍ ଡିଡି ଦେଖାଇ ଏକ ସିଭିଲ୍ ମାମଲା କରିଥିଲେ।
ଶେଷରେ ନିରାଶ ହୋଇ ଚନ୍ଦ୍ରଶେଖରପୁର ଥାନାରେ ସୁମନ ମିଶ୍ର ଏବେ ଠକେଇ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଉକ୍ତ ଘରର କାଗଜପତ୍ର ଯାଞ୍ଚ କରିଥିଲେ। ଏପରିକି ଫୋରେନ୍ସିକ୍ ଲ୍ୟାବ୍କୁ ପଠାଇବା ପରେ ତାହା ନକଲି ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପୁଲିସ ଚଢଉ କରି ତାଙ୍କୁ ଗିରଫ କରିଥିଲା। ଏହି ଦୁଇ ଦମ୍ପତ୍ତି ପୂର୍ବରୁ ନୂଆପଲ୍ଲୀ ଥାନା ଅଞ୍ଚଳରେ ଥିବା ଦୁଇ ଜଣ ଘର ମାଲିକଙ୍କୁ ଏଭଳି ଜାଲ୍ ଠକେଇ କରିଥିଲେ।