ବ୍ୟାନ ହଟିବା ପରେ ଫେସବୁକ ଏବଂ ୟୁଟ୍ୟୁବକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ : (ସଂକେତ୍ ଟିଭି ) ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମାଜିକ ଗଣମାଧ୍ୟମ ଉପରକୁ ନିଷେଧାଦେଶ ହଟିଯାଇଛି। ଦୀର୍ଘ ଦୁଇ ବର୍ଷ ପରେ ଟ୍ରମ୍ପ ଫେସବୁକ ୟୁଟ୍ୟୁବ ଫେରିଛନ୍ତି । ସେ ଖୁସି ହୋଇ ଲେଖିଛନ୍ତି ମୁଁ ପୁଣି ଫେରିଲି ଆଇ ଏମ ବ୍ୟାକ୍ । ଟ୍ରମ୍ପ ୧୨ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଉକ୍ତ ଭିଡିଓଟି ୨୦୧୬ ମସିହାରେ ନିର୍ବାଚନ ଜିତିବା ପରେ ବିଜୟ ଭାଷଣର । ତାଙ୍କର ପ୍ରସିଦ୍ଧ ମେକ ଆମେରିକା ଗ୍ରେଟ ଅଗେନ ସ୍ଲୋଗାନକୁ ସେ ଭିଡିଓରେ ଯୋଡିଛନ୍ତି ।

ସୂଚନା ଅନୁସାରେ ଫେବୃଆରୀ ମାସରେ ମେଟା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସଚଳ କରିଥିଲା । ମେଟାର ପଲିସି ନିର୍ଦ୍ଦେଶିକା ଆଣ୍ଡିଷ୍ଟୋନ ଏନେଇ ସୂଚନା ଦେଇଥିଲେ । ୨୦୨୧ ମସିହା ଜାନୁଆରୀ ୬ ତାରିଖରେ କ୍ୟାପିଟାଲ ଦଙ୍ଗା ଘଟଣା ପରେ ଟ୍ରମ୍ପଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମେଟା ବନ୍ଦ କରିଦେଇଥିଲା । ତା’ପରେ ଆନୁଷ୍ଠାନିକ ଭାବେ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଦୁଇ ବର୍ଷ ବୃଦ୍ଧି କରାଯାଇଥିଲା । ୨୦୨୧ରେ ଶେଷ ପୋଷ୍ଟ ୨୦୨୧ ମସିହା ଜାନୁଆରୀ ୬ ତାରିଖରେ ଟ୍ରମ୍ପ ଶେଷଥର ପାଇଁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ସେଭ ଆମେରିକା ବୋଲି ଲେଖି ଟ୍ରମ୍ପ ଏକ ପୋଷ୍ଟ କରିଥିଲେ । ଯାହାକି ସେ ତାଙ୍କ ସମର୍ଥକଙ୍କୁ କ୍ୟାପିଟାଲ ଅଭିମୁଖେ ଯାତ୍ରା କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଇନଷ୍ଟାଗ୍ରାମରେ ଏହି ପୋଷ୍ଟକୁ ସେୟାର କରି ଟ୍ରମ୍ପ ଏହାର କ୍ୟାପସନ ଦେଇଥିଲେ ମୁଁ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଏଲିପ୍ସରେ ସେଭ୍ ଆମେରିକା ରାଲିରେ କିଛି ଘୋଷଣା କରିବି ଆପଣ ଶୀଘ୍ର ପହଞ୍ଚନ୍ତୁ ।

ଅନ୍ୟପଟେ ନିଲମ୍ବନ ପୂର୍ବରୁ ଫେସବୁକରେ ଟ୍ରମ୍ପଙ୍କ ଶେଷ ପୋଷ୍ଟ କରି ଲୋକଙ୍କୁ କ୍ୟାପିଟାଲ ଛାଡିବାକୁ ଆହ୍ବାନ ଦେଇଥିଲେ । ସେ ଲେଖିଥିଲେ ଆମେରିକାରେ ସମସ୍ତେ ଶାନ୍ତିରେ ରୁହନ୍ତୁ ବୋଲି ଚାହୁଁଛି । କୌଣସି ପ୍ରକାର ହିଂସା କର ନାହିଁ । ମନେରଖ ଆମେ କାନୁନ ଏବଂ ବ୍ୟବସ୍ଥା ତିଆରି କରୁଥିବା ପାର୍ଟି ।

ତେବେ ଶୁକ୍ରବାର ଦିନ ଟ୍ରମ୍ପଙ୍କର ୟୁଟ୍ୟୁବ ଆକାଉଣ୍ଟକୁ ମଧ୍ୟ ସଚଳ କରିଦିଆଯାଇଥିବା ନେଇ ୟୁଟ୍ୟୁବ ପକ୍ଷରୁ ଟ୍ବଟ କରି ସୂଚନା ଦିଆଯାଇଛି । ଟ୍ବିଟ କରି କୁହାଯାଇଛି ଆଜି ଠାରୁ ଟ୍ରମ୍ପ ନିଜର ଚ୍ୟାନେଲରେ କଣ୍ଟେଣ୍ଟ ଅପଲୋଡ କରିପାରିବେ । ଆଉ କୌଣସି ପ୍ରତିବନ୍ଧକ ନାହିଁ । ଟ୍ରମ୍ପ ପୁଣି ଥରେ ନିୟମ ଉଲ୍ଲଙ୍ଘନ କରିବେ ତାହାଲେ ତାଙ୍କ ବିରୋଧରେ ପୂର୍ବ ଅପେକ୍ଷା ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରକାଶଥାଉକି ୭୬ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପଙ୍କର ଫେସବୁକରେ ୩୪ ମିଲିୟନ ଫୋଲର୍ସ ଅଛନ୍ତି । ଏହସହ ୟୁଟ୍ୟୁବରେ ୨୬ ମିଲିୟନ ସବସ୍କ୍ରାଇବର ରହିଛନ୍ତି ।