ମାଗଣା ବିଦ୍ୟୁତ୍ ଦେଲେ ଶ୍ରୀଲଙ୍କା ସ୍ଥିତି ଉପୁଜିବ
ଭୁବନେଶ୍ୱର : (ସଂକେତ ଟିଭି) ବିଧାନସଭାରେ ଟାଟା ପାୱାରର ବିଦ୍ୟୁତ ଶୁଳ୍କ ଆଦାୟ ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଥିଲା । ବିରୋଧୀ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ଉଦ୍ବେଗ ପ୍ରକାଶ କରିଥିଲେ । ମୁଲତବୀ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ ଦାୟିତ୍ୱ ଓ ଟାଟା ପାୱାରର ଆଭିମୁଖ୍ୟକୁ ନେଇ ବିରୋଧୀ ବର୍ଷିଥିଲେ । ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ମନ୍ତ୍ରୀ କହିଥିଲେ, ମାଗଣା ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ହେବ ।
ମୁଲତବୀ ପ୍ରସ୍ତାବ ଅଲୋଚନାବେଳେ ଉତ୍ତରରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି,”ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ବାସ୍ତବତା ଉପରେ ଆଧାରିତ ନୁହେିଁ । ୨୦୦୦ ମସିହାରେ ୨୮ପ୍ରତିଶତ ଘରକୁ ବିଜୁଳି ସଂଯୋଗ ହୋଇଥିବା ବେଳେ ବର୍ତ୍ତମାନ ୯୭ ପ୍ରତିଶତ ଘରକୁ ବିଜୁଳି ସଂଯୋଗ ରହିଛି । ବିଜୁଳି ବ୍ୟବହାର ବଢିବା ସହିତ ଉତ୍ପାଦନ ବଢିବ । ୨୦୦୦ ମସିହାରେ ୧୬ଲକ୍ଷ ବିଦ୍ୟୁତ ଉପଭୋକ୍ତା ରହିଥିବା ବେଳେ ବିଦ୍ୟୁତ ଚାହିଦା ୧୦ହଜାର ମିଲିୟନ ୟୁନିଟ ଆବଶ୍ୟକ ପଡିଥିଲା । ୨୦୨୩ ମସିହାରେ ଉପଭୋକ୍ତାଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିଛି । ଚାହିଦା ୨୭ ହଜାର ୪୦୦ ମିଲିୟନ ୟୁନିଟକୁ ବୃଦ୍ଧି ପାଇଛି । ପିକ୍ ଆୱାରରେ ୫ହଜାର ୨ଶହ ମିଲିୟନ
ୟୁନିଟ ଆବଶ୍ୟକ ପଡୁଛି । ବିଦ୍ୟୁତ ପରିବହନ ଜନିତ କ୍ଷତି ନିୟନ୍ତ୍ରଣ କରିବାରେ ସଫଳତା ମିଲିଛି । ୨୦୦୦ ମସିହାରେ ୫୭ ପ୍ରତିଶତ କ୍ଷତି ହେଉଥିଲା । ୨୦୨୩ରେ ଏହା ୨୬ ପ୍ରତିଶତକୁ ହ୍ରାସ ପାଇଛି । ପାଣି, ପବନ, ବିଜୁଳି ଏକାନ୍ତ ଆବଶ୍ୟକ । ମାଗଣା ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ହେବ ।’
ବିଧାନସଭାର ମୁଲତବୀ ପ୍ରସ୍ତାବରେ ଭାଗ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଦ୍ୟୁତ ପରିବହନ ଜନିତ କ୍ଷତି ଉପରେ ନିଜର ମତ ରଖି କହିଥିଲେ ଯେ, “ବିଦ୍ୟୁତ ପରିବହନ ଜନିତ କ୍ଷତିକୁ ହ୍ରାସ କରିବାରେ ସରକାର ବିଫଳ ହୋଇଛନ୍ତି । ବିଦ୍ୟୁତ ପରିବହନ ଜନିତ କ୍ଷତି ହ୍ରାସ କରିବା ପାଇଁ ଘରୋଇ କମ୍ପାନି ଟିପିଓଡିଏଲକୁ ଦିଆଯାଇଥିଲା । ଦିଲ୍ଲୀ, ପଞ୍ଜାବ ଭଳି ଆମ ରାଜ୍ୟ ସରକାର ଉପଭୋକ୍ତାମାନଙ୍କୁ ୨ଶହ ୟୁନିଟ ପଯ୍ୟନ୍ତ ବିଜୁଳି ମାଗଣାରେ ଦିଅନ୍ତୁ ।’
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ସରକାରଙ୍କ ଉପରେ ବର୍ଷିବା କହିଥିଲେ ଯେ, “ସରକାର କମ୍ପାନି ସୁରକ୍ଷା ପାଇଁ କାମ କରୁଛନ୍ତି । ମନ୍ତ୍ରୀ କମ୍ପାନିକୁ ସୁହାଇଲା ଭଳି କଥା କହୁଛନ୍ତି । ଜନସାଧାରଣଙ୍କୁ ବଳି ଦିଆଯାଉଛି । ଉପରୋକ୍ତାଙ୍କ ସ୍ୱାର୍ଥକୁ ଗୁରୁତତ୍ୱ ଦିଆଯାଉନାହିଁ ।