କାର୍ଯ୍ୟରତ କନେଷ୍ଟବଳଙ୍କ ଉପରେ ଚଢିଗଲା ଦୃତଗାମୀ ଆଳୁ ବୋଝେଇ ଟ୍ରକ

ଭୁବନେଶ୍ବର : (ସଂକେତ୍ ଟିଭି ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରମୁଙ୍ଗାଠାରେ ଜଣେ କାର୍ଯ୍ୟରତ କନେଷ୍ଟେବଲଙ୍କ ଉପରେ ଦୃତଗାମୀ ଟ୍ରକ୍ ମାଡିଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃ୍ତକ ଜଣକ ହେଉଛନ୍ତି ତୁରୁମୁଙ୍ଗା ଥାନାରେ କାର୍ଯ୍ୟରତ କନେଷ୍ଟବଳ ରଘୁନାଥ ମୁର୍ମୁ (୫୫) । ଶନିବାର ଦିନ ସାଢ଼େ ୧୦ଟା ଏହି ଦୁର୍ଘଟଣା ଘଟିଛି।

ମୁର୍ମୁ କାର୍ଯ୍ୟରତ ଅବସ୍ଥାରେ ତୁରୁମୁଙ୍ଗା ବଜାର ଅଞ୍ଚଳ ରେ ୪୯ ନଂ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରୁ ଅପର ପାର୍ଶ୍ଵକୁ ସାଇକେଲ ଧରି ଯାଉଥିବା ବେଳେ କୋଲକାତାରୁ କେନ୍ଦୁଝର ଯାଉଥିବା ଏକ ଦ୍ରୁତଗାମୀ ଆଳୁ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଛି । ଘଟଣା ସ୍ଥଳରେ ସେ ପ୍ରାଣ ହରାଇଛନ୍ତି। ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।

ମୃତ କନେଷ୍ଟବଳଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଦାମୁଡ଼ିଗୋଡା ଗ୍ରାମର ବୋଲି ଜଣାପଡିଛି। ଗତ ୨ବର୍ଷ ହେଲା ସେ ତୁରୁମୁଙ୍ଗା ଥାନାରେ କାର୍ଯ୍ୟରତ ଥିଲେ। ପତ୍ନୀ ଙ୍କ ସହ ସେ ଏଠାରେ ଭଡ଼ା ଘରେ ରହୁଥିଲେ। ଘଟଣା ଘଟିବା ପରେ ପରେ ତୁରୁମୁଂଗା ଥାନାଧିକାରୀ ଓ ଅନ୍ୟ ପେଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଲୋକ ମାନଙ୍କୁ ନିବେଦନ କରୁଥିବା ଦେଖାଯାଇଛି। ଦୁର୍ଘଟଣା ସ୍ଥଳ ନିକଟରେ ହମ୍ପସ ନିର୍ମାଣ ଓ ମୃତକ ଙ୍କ ପରିବାରକୁ ଯଥୋଚିତ କ୍ଷତିପୂରଣ ଦିଆଯିବାକୁ ସ୍ଥାନୀୟ ଲୋକମାନେ ଅଡ଼ି ବସିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିଛି।