ପଦ୍ମାସେତୁରୁ ଖସିପଡିଲା ବସ୍, ୧୬ ମୃତ; ୩୦ ଆହତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ବାଂଲାଦେଶର ମଦାରିପୁର ଅନ୍ତର୍ଗତ ଶିବଚର ଉପଜିଲ୍ଲାର କୁତୁବପୁର ଅଞ୍ଚଳରେ ଗୋଟାଏ ବସ୍‌ ପଦ୍ମାସେତୁର ଉଠାଣି ରାସ୍ତାରେ ବିପରୀତ ଦିଗକୁ ବୁଲିଯାଇ ତଳକୁ ଗଡ଼ିପଡ଼ିବାରୁ ଅନ୍ୟୂନ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୩୦ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଇମାଦ୍‌ ନାମକ ବସ୍‌ଟି ସକାଳ ୪ଟାରେ ୪୩ଜଣ ଯାତ୍ରୀଙ୍କୁ ଧରି ଖୁଲଣାର ଫୁଲତାଲା ବସ୍‌ କାଉଣ୍ଟର୍‌ରୁ ବାହାରି ଢାକା ଅଭିମୁଖେ ଯାତ୍ରା କରୁଥିଲା । ସକାଳ ପ୍ରାୟ ୭.୩୦ ସମୟରେ ମଦାରିପୁରର ଏକ ଏକ୍ସପ୍ରେସୱେରେ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିଥିଲା ବସ୍‌ । ଏଥିରେ ୧୬ ଜଣ ପ୍ରାଣ ହରାଇଛନ୍ତି ।

ବସ୍‌ଟି ପାହାନ୍ତା ୪ଟା ବେଳେ ଖୁଲଣାର ଫୁଲତାଲା ବସ୍‌ କାଉଣ୍ଟର୍‌ରୁ ବାହାରି ଶିବବାଡ଼ି ରୟାଲ୍‌ ହୋଟେଲ୍‌ ଇଣ୍ଟର୍‌ସେକ୍ସନ୍‌ ଏବଂ ସୋନାଡଙ୍ଗା ବସ୍‌ ଷ୍ଟପ୍‌ ବାଟ ଦେଇ ୪୩ଜଣ ଯାତ୍ରୀଙ୍କୁ ଧରି ଢାକା ଅଭିମୁଖେ ଯାତ୍ରା କରୁଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ଅଗ୍ନିଶମ ସେବା ଓ ପୁଲିସ ଉଦ୍ଧାର ଅଭିଯାନ ଚଳାଇଥିବା କଥା ଶିବଚର ରାଜପଥ ଥାନା ଭାରପ୍ରାପ୍ତ ଅଧିକାରୀ ଅବୁ ନୟିମ୍‌ ମହମ୍ମଦ୍‌ ମୋଫାଜେଲ୍‌ ହକ୍‌ କହିଛନ୍ତି। ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।