ଲୋକପ୍ରିୟ ଓଡିଆ ‘ଡିଜେ ଆଜେକ୍ସ’ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ବର : (ସଂକେତ୍ ଟିଭି) ଲୋକପ୍ରିୟ ଓଡ଼ିଆ ଡିଜେ ‘ଡିଜେ ଆଜେକ୍ସ’ଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖାରବେଳନଗରସ୍ଥିତ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ତାଙ୍କର ପ୍ରକୃତ ନାଁ ଅକ୍ଷୟ କୁମାର ହୋଇଥିବା ବେଳେ DJ AZEX ନାଁରେ ସେ ବେଶ୍ ଜଣାଶୁଣା ଥିଲେ।
ସୂଚନା ଅନୁଯାୟୀ, ଶନିବାର ସା ପ୍ରାୟ ସାଢ଼େ ୬ଟାରେ ସେ ଘରକୁ ଫେରିଥିଲେ। ଭଲ ଲାଗୁ ନ ଥିବା କହି ପ୍ରାୟ ୬ଟା ୫୦ରେ ସେ ତାଙ୍କ ରୁମ୍କୁ ଚାଲି ଯାଇଥିଲେ। ଏପରିକି ସେ ଶୋଇବାକୁ ଯାଉଥିବା କହି କେହି ତାଙ୍କୁ ନ ଉଠାଇବାକୁ ତାଗିଦ କରିଥିଲେ। ପରେ ରାଜଧାନୀରେ ବର୍ଷାପବନ ଯୋଗୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିଲା। ଏହା ଆସିବା ପରେ ରାତି ୧୦ଟା ବେଳକୁ ପରିବାରଲୋକେ ତାଙ୍କୁ ଡାକିଥିଲେ। କିନ୍ତୁ ଅକ୍ଷୟ କୌଣସି ଜବାବ ଦେଇ ନ ଥିଲେ। ତାଙ୍କ କବାଟ ବାଡେଇବା ସତ୍ତ୍ୱେ ସେ କୌଣସି ଉତ୍ତର ଦେଇ ନ ଥିଲେ। ଏହା ପରେ ପରିବାର ଲୋକେ କବାଟ ଭାଙ୍ଗି ଭିତରେ ପଶିଥିଲେ। ସେ ଏକ ବେଡ୍ସିଟ୍ରେ ଝୁଲି ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ।
ସେମାନେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍କୁ ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ପରିବାର ଲୋକେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ଏହି ଘଟଣାରେ ରବିବାର ଡିଜେ ଆଜେକ୍ସଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ତାଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଜଣେ ଲୋକପ୍ରିୟ କଳାକାରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଯାହାକୁ ନେଇ ପୁଲିସ ଘଟଣା ତଦନ୍ତକୁ ଆଗକୁ ବଢାଇଛି। DJ AZEXଙ୍କ ମୋବାଇଲ ଫୋନକୁ ମଧ୍ୟ ପୁଲିସ ଜବତ କରିଛି। ତେବେ ପୁଲିସ ତଦନ୍ତ ପରେ ତାଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚିତ ହେବ ବୋଲି କୁହାଯାଉଛି।