୯୦ ବର୍ଷରେ ବଡି ବିଲଡର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଲୋକମାନେ ପ୍ରାୟ ସମୟରେ କହିଥାନ୍ତି ବୟସ ହୋଇଗଲେ ସଂସାରର ମୋହମାୟା ଛାଡି ଈଶ୍ୱରଙ୍କ ଚରଣରେ ସମର୍ପିତ ହୋଇଯିବା ଆବଶ୍ୟକ । କିନ୍ତୁ ସମସ୍ତେ ଏହି କଥା ମାନି ନ ଥାନ୍ତି ବା ପାଳନ କରି ନ ଥାନ୍ତି । ବହୁତ ଲୋକଙ୍କ ଲାଗି ୬୦ ବର୍ଷରୁ ଜୀବନର ଆରମ୍ଭ ହିଁ ହୋଇଥାଏ । ଦୁନିଆରେ ଏପରି ବହୁ ଲୋକ ଅଛନ୍ତି ଯେଉଁମାନେ ଅଧିକ ବୟସରେ ଏପରି ସଫଳତା ହାସଲ କରିଛନ୍ତି ଯାହା କମ୍‌ ବୟସରେ କରିପାରି ନାହାନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜିମ୍‌ ଏରିଙ୍ଗଟନ୍‌ ଯିଏକି ଦୁନିଆର ସବୁଠାରୁ ବୟସ୍କ ବଡିବିଲଡର ହେବାର ଗୌରବ ଅର୍ଜନ କରିଛନ୍ତି ।

ଅଡିଟ୍‌ ସେଣ୍ଟ୍ରାଲ ନ୍ୟୁଜ୍‌ ୱେବସାଇଟ୍‌ ରିପୋର୍ଟ ଅନୁସାରେ ୯୦ ବର୍ଷୀୟ ଜିମ୍‌ ନିଜ ନାମକୁ ସାର୍ଥକ କରି ଦିନର ଅଧିକାଂଶ ସମୟ ଜିମ୍‌ରେ ହିଁ ବିତାଇଥାନ୍ତି । ଭେନିସ୍‌, କାଲିଫଣ୍ଣିଆରେ ରହୁଥିବା ଜିମ୍‌ଙ୍କୁ ଗିନିଜ୍‌ ୱାଲ୍ଡର୍ ରେକର୍ଡ ପକ୍ଷରୁ ଦୁନିଆର ସବୁଠାରୁ ବୟସ୍କ ବଡି ବିଲଡର ମାନ୍ୟତା ମିଳିଛି । ମାତ୍ର ୧୩ ବର୍ଷ ବୟସରୁ ସେ ବଡି ବିଲ୍‌ଡିଂ ଦୁନିଆରେ ପାଦ ରଖିଥିଲେ । ଥରେ ସେ ଏକ ମେଡିସିନ୍‌ ଦୋକାନକୁ ଯାଇଥିବା ସମୟରେ ଏକ ବଡି ବିଲଡିଂ ମାଗାଜିନର ପୋଷ୍ଟର ଦେଖିଥିଲେ ଯେଉଁଥିରେ ଦୁଇ ଜଣ
ହୃଷ୍ଟପୁଷ୍ଟ ଯୁବକ ନଜର ଆସୁଥିଲେ । ସେବେଠାରୁ ସେ ନିଷ୍ପତ୍ତି ନେଇଥିଲେ ସେମାନଙ୍କ ପରି ବଡି କରିବେ । ସେ ପ୍ରଥମେ ପିତାଙ୍କ ୩ ପାଉଣ୍ଡ ଷ୍ଟିଲ ବଲ୍‌ରୁ ଟ୍ରେନିଂ ଆରମ୍ଭ କରି ଦେଇଥିଲେ । ମାତ୍ର କିଛି ମାସରେ ସେ ୧୦ ପାଉଣ୍ଡ ମସଲ ଗେନ୍‌ କରିଥିଲେ । ଏହାପରେ ସେ ଆଉ ଅଟକି ନ ଥିଲେ । ୯୦ ବର୍ଷ ବୟସରେ ବି ସେ ୱେଟ୍‌ ଟ୍ରେନିଂ କରୁଛନ୍ତି ।

ସେ କହିଛନ୍ତି ଏହି ବୟସରେ ବିଶେଷ ଧ୍ୟାନ ରଖି ବ୍ୟାୟାମ କରିବାକୁ ହୋଇଥାଏ ଯେପରିକି ଶରୀର ଉପରେ ଅଧିକ ଚାପ ନ ପଡେ । ମିଷ୍ଟର ଆମେରିକା ହେବାକୁ ସ୍ୱପ୍ନ ଦେଖିଥିବା ଜିମ୍‌ ୮୫ ବର୍ଷରେ ସବୁଠାରୁ ବୟସ୍କ ବଡି ବିଲଡର ଭାବରେ ବିଶ୍ୱ ରେକର୍ଡ କରିଥିଲେ ।